ଡ଼େଙ୍ଗାପଦର ହତ୍ୟା ମାମଲାରେ ୨ଗିରଫ

142
ADVERTISEMENT

କୁକୁଡାଖଣ୍ଡି, ୧୮/୬ (ଇ.ରଞ୍ଜନ): ଡ଼େଙ୍ଗାପଦର ହତ୍ୟା ମାମଲାରେ ପୋଲିସକୁ ମିଳିଛି ସଫଳତା | ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି | ଗିରଫ ଦୁଇଜଣ ହେଲେ, ମୃତକର ଦାଦା ବୀରବର ମଲ୍ଲିକ(୪୪) ଓ ଜାନି ଓରଫ କବିରାଜ ମଲ୍ଲିକ(୨୫) | କୌଣସି ସୂତରୁ ଖବରପାଇ ସଦର ଥାନା ପୋଲିସ, ଡ଼େଙ୍ଗାପଦର ନିକଟସ୍ଥ ନିମାପଲ୍ଲୀ ଗ୍ରାମରେ ଥିବା ଏକ ମଦଭାଟି ନିକଟରୁ ସେମାନେ ଦୁଇଜଣଙ୍କୁ ଆଜି ଗିରଫ କରିଛି | ଏହା ସହ ହତ୍ୟାରେ ବ୍ୟବହୃତ ଏକ ଧାରୁଆ କାତିକୁ ମଧ୍ୟ ପୋଲିସ ଜବତ କରିଛି |

ସୂଚନା ମୁତାବକ, ଗତକାଲି ରାତିରେ ଡ଼େଙ୍ଗାପଦର ଗ୍ରାମର ପ୍ରକାଶ ମଲ୍ଲିକ(୨୮) ନାମକ ଜନୈକ ବ୍ୟକ୍ତିଙ୍କୁ ତାଙ୍କ ଦାଦା ଘରୁ ଡାକିନେଇ ଗୋଟିଏ ସ୍ଥାନକୁ ନେଇଯାଇଥିଲେ | ସେଠାରେ ଦାଦା-ପୁତୁରାଙ୍କ ମଧ୍ୟରେ କିଛିସମୟ ବାକ-ବିତଣ୍ଡା ହେବାସହ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା | ଏହାପରେ ପ୍ରକାଶଙ୍କ ଦାଦା ଏକ ଧାରୁଆ କାତି କାଢି ତାଙ୍କୁ ଆକ୍ରମଣ କରିବାସହ ହତ୍ୟା କରିଥିଲେ | ଫଳରେ ପ୍ରକାଶଙ୍କ ଶରୀରରେ ଗଭୀର କ୍ଷତ ହେବାସହ ତାଙ୍କର ୨ଟି ଆଙ୍ଗୁଠି କଟିଯାଇଥିବା ପୋଲିସ କହିଛି |

ତେବେ, ଏନେଇ ଆଜି ମୃତକଙ୍କ ବାପା ପଦ୍ମନାଭ ମଲ୍ଲିକ ଗୁଣିଗାରେଡି ସନ୍ଦେହରେ ପୁଅକୁ ହତ୍ୟା କରାଯାଇଛି ବୋଲି ସ୍ଥାନୀୟ ଥାନାରେ ଏକ ଏତଲା ଦେଇଥିଲେ | ଅଭିଯୋଗ ଅନୁସାରେ, ପୋଲିସ ଆଇ.ପି.ସିର ୩୦୨/୩୪ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା | ତେବେ ଆଜି ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସଦର ଥାନା ଏ.ଏସ.ପି ମାୟାଧର ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି |

Advertisement