କୃଷକ ପରିଚୟ ପତ୍ର ନାମରେ ଟଙ୍କା ଆଦାୟ

210
ADVERTISEMENT

ହିଞ୍ଜିଳିକାଟୁ, ୧୫/୬(ଶେଷଦେବ ସାହୁ): କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସହାୟତା ରାଶି ହାତେଇବା ସକାଶେ ବର୍ତ୍ତମାନ ସାରା ରାଜ୍ୟରେ କୃଷକ ପରିଚୟ ପତ୍ର ପାଇଁ ଉଜ୍ଜଳା ଦିଦିମାନଙ୍କୁ ନିଯୁକ୍ତି ଦିଆଯାଇଛି । ପରିତାପର ବିଷୟ କିଛି ଅସାମାଜିକ ବ୍ୟକ୍ତି କୃଷକମାନଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରି ସେମାନଙ୍କଠାରୁ ପରିଚୟ ପତ୍ର ପିଛା ୧୦୦ ରୁ ୨୦୦ ଟଙ୍କା ଆଦାୟ କରୁଛନ୍ତି । ଉକ୍ତ ପରିଚୟ ପତ୍ରରେ ରେଜିଷ୍ଟେସନ ନଂ, ନାମ, ଠିକଣା, ମୋବାଇଲ ନଂ, ପଞ୍ଜୀକରଣ ତାରିଖ, ଚାଷୀଙ୍କ ପଟୋ ସମେତ ଭାରତ ସରକାରଙ୍କ ଲୋଗୋ ରହିଛି । ପ୍ରକୃତରେ ଏହି ପରିଚୟ ପତ୍ର ଅସଲି କି ନକଲି ତାହା ସ୍ପଷ୍ଟ ହୋଇପାରିନାହିଁ ।

ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳର କିଛି ବ୍ୟକ୍ତି ବହୁ କୃଷକଙ୍କ ଘରେ ପହଞ୍ଚି ସଂପୃକ୍ତ କୃଷକଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିବା ସହ ୧୦୦ ରୁ ୨୦୦ଟଙ୍କା ଆଦାୟ କରୁଛନ୍ତି । ଏଭଳି ଘଟଣା ଶୁକ୍ରବାର ହିଞ୍ଜିଳିକାଟୁ ପୌରାଞ୍ଚଳ ଓ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳିବାପରେ ଘଟଣାର ସତ୍ୟତାନେଇ ବହୁ ଚାଷୀ ସ୍ଥାନୀୟ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣାର ସତ୍ୟତା ନେଇ ଅନୁସନ୍ଧାନ କରିଥିଲେ । ତେବେ ଏଭଳି ପରିଚୟ ପତ୍ର ବିଷୟରେ ବିଭାଗୀୟ ଅଧିକାରୀ ଅବଗତ ନଥିବା କହିଥିଲେ । ଘଟଣାନେଇ ସ୍ଥାନୀୟ ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥଙ୍କୁ ପଚାରିବାରୁ ସେ କହିଲେ, ଏଭଳି ପରିଚୟ ପତ୍ର ପ୍ରଦାନ କରାଯାଉଥିବା ନେଇ ବହୁ କୃଷକ ଅଭିଯୋଗ କରିଛନ୍ତି । ସଂପୃକ୍ତ ପରିଚୟ ପତ୍ର ଗୁଡ଼ିକ ଅସଲି କିମ୍ବା ନକଲି ଜଣାପଡ଼ିନାହିଁ । ତେବେ ଘଟଣାନେଇ ସେ, ଜିଲ୍ଲା କୃଷି ଅଧିକାରୀ ସମେତ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି ।

Advertisement