ରଜ ପାଇଁ ଗାଁଠୁ ସହର ଉତ୍ସବ ମୁଖର

ଆଧୁନିକତାର ଛାପରେ ହଜିଯାଉଛି ପରମ୍ପରା

254
ADVERTISEMENT

ହିଞ୍ଜିଳିକାଟୁ, ୧୪/୬(ଶେଷଦେବ ସାହୁ): ଉତ୍କଳୀୟ ସଂସ୍କୃତିରେ ୧୨ ମାସରେ ୧୩ ପର୍ବପର୍ବାଣି ମଧ୍ୟରୁ ଆଷାଢ ସଂକ୍ରାନ୍ତିର ରଜପର୍ବର ଗୁରୁତ୍ୱ ସର୍ବଦା ରହିଆସିଛି । କୃଷି ପ୍ରଧାନ ରାଜ୍ୟ ଭାବେ ଓଡ଼ିଶାର ଘରେ ଘରେ ଲୋକେ ଏହି ପର୍ବକୁ ବେଶ ଆନନ୍ଦ ଉଲ୍ଲାସ ସହକାରେ ପାଳନ କରିଥାନ୍ତି । ଚଳିତ ବର୍ଷ ଜୁନ ୧୪ ତାରିଖରେ ପହିଲି ରଜ, ୧୫ ତାରିଖରେ ରଜସଂକ୍ରାନ୍ତି ଓ ୧୬ ତାରିଖରେ ଭୂଇଁଦହଣ ପ୍ରଭୃତି ୩ଦିନ ବ୍ୟାପୀ ପାଳନ ହେଉଥିବା ଏହି ପର୍ବରେ ଗାଁଠୁ ସହର ଉତ୍ସବ ମୁଖର ହୋଇଉଠିଥାଏ ।

ଅନୁରୂପ ଭାବେ ଆଜି ପହିଲି ରଜରୁ ହିଁ ହିଞ୍ଜିଳିକାଟୁ ସହର ସମେତ ଗାଁଗହଳିଗୁଡ଼ିକ ଉତ୍ସବ ମୁଖର ହୋଇପଡ଼ିଛି । ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଆମ୍ବ, ପଣସ ଆଦି ଫଳମୂଳ ସହିତ ବିଭିନ୍ନ ପିଠାପଣା ପ୍ରଭୃତି ସୁସ୍ୱାଦୁ ଖାଦ୍ୟ ସମ୍ଭାରର ବାସ୍ନାରେ ପୁରି ଉଠୁଛି ସମସ୍ତଙ୍କ ଘର । ବିବାହିତ ଝିଅମାନେ ରଜରେ ବାପଘରୁ ଆସି ରଜ କଟାଇବା ସହ ଶ୍ୱଶୁର ଘରକୁ ଆମ୍ବ, ପଣସ ଓ ମିଠା ଭାର ନେବାର ପରମ୍ପରା ରହିଛି । ରଜରେ ଚଷାପୁଅମାନେ ନିଜର କାମଧନ୍ଦା ବନ୍ଦ କରି ପାନ ଖାଇବା ଓ ତାସ ଖେଳିବାରେ ସମୟ କଟାଇଥାନ୍ତି । ରଜ ସକାଶେ ଜାମା-ଲୁଗା ଦୋକାନରେ ପ୍ରବଳ ଭିଡ଼ ଲାଗିରହିଥିଲା । ମୋଟ ଉପରେ କହିବାକୁ ଗଲେ ରଜ ପାଇଁ ବଜାର ସରଗରମ ରହିଛି । ତେବେ ପାଶ୍ଚାତ୍ୟ ସଭ୍ୟତାର ପ୍ରଭାବ ଓ ବସ୍ତୁବାଦୀ ମାନସିକତା ଯୋଗୁଁ ସମ୍ପ୍ରତି ରଜପର୍ବ ପୂର୍ବ ପରି ଆଉ ଆକର୍ଷଣୀୟ ହେଉନଥିଲେ ବି ପରମ୍ପରା ହରାଇନାହିଁ । ଆଗଭଳି ଗାଁ ଦାଣ୍ଡରେ ରଜଦୋଳି ଗୀତ ଆଉ ଶୁଭୁନାହିଁ କିମ୍ବା ଯୁବକମାନେ ବାଗୁଡ଼ି ଖେଳ ଓ ତାସ୍ ଖେଳରେ ଦିନ ଆଉ ବିତାଉ ନାହାନ୍ତି । ଏନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି ।

ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମହାନ ଉତ୍କଳୀୟ ପରମ୍ପରାକୁ ଉଜ୍ଜୀବିତ ସକାଶେ ଚାଲିଛି ପ୍ରୟାସ । ବିଭିନ୍ନ ସ୍ଥାନରେ ସାମୁହିକ ଭାବେ ରଜପର୍ବ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ବିଶେଷ କରି ଗ୍ରାମାଞ୍ଚଳଗୁଡ଼ିକରେ ମହିଳାମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ରଜ ଦୋଳି ଗଛରେ ବାନ୍ଧି ଦୋଳି ଖେଳୁଥିବାର ଦେଖିବାକୁ ମିଳୁଛି । ଏହି ରଜପର୍ବକୁ ପୂର୍ବ ଭଳି ଆର୍କଷଣୀୟ ଓ ସ୍ମରଣୀୟ କରିବା ପାଇଁ ପ୍ରତ୍ୟେକ ସ୍ତରରୁ ଉଦ୍ୟମ କରିବାକୁ ବୁଦ୍ଧିଜୀବି ମହଲରେ ଆହ୍ୱାନ ଦିଆଯାଉଛି ।

ଆଧୁନିକତାର ଛାପରେ ହଜିଯାଉଛି ରଜ ମଉଜ । ନା ଅଛି ଝଙ୍କାଳିଆ ବରଗଛ, ଆମ୍ବଗଛ ନା ଅଛି ତୋଟା । ବନ୍ଧା ହେଉନି ଆଉ ରଜ ଦୋଳି । ପୋଡ଼ପିଠା ତିଆରି ପାଇଁ ଆଉ କାଠ ଚୁଲି ଦେଖିବାକୁ ମିଳୁନାହିଁ । ଆଧୁନିକତାର ଛାପ ପ୍ରାୟତଃ ଅଧିକାଂଶ ପର୍ବପର୍ବାଣୀକୁ ଗ୍ରାସ କରିସାରିଛି । ରଜ ପର୍ବ ମଧ୍ୟ ତାହାର ଅସ୍ତିତ୍ୱ ହରାଇବାକୁ ବସିଛି ବୋଲି ଆଲୋଚିତ ହେଉଛି । ଆଜିର ବଜାରୀକରଣ ଯୁଗରେ ରଜପର୍ବ କେବଳ ଏକ ପୁରୁଣା ଛାପ ହୋଇରହିଯିବା ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Advertisement