ନୂଆଦିଲ୍ଲୀ, ୧୪/୬(ଡ଼ିଏଚବି): ଜାତୀୟ ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ପାଇଁ ଆଜି ନାମ ଘୋଷଣା କରାଯାଇଛି। ଚଳିତବର୍ଷ ଦେଶର ୨୩ଟି ଭାଷାର ସାହିତ୍ୟିକଙ୍କ ନାମ ଯୁବ ପୁରସ୍କାର ପ୍ରଦାନ ଲାଗି ମନୋନୀତ କରାଯାଇଥିବା ବେଳେ ୨୨ଟି ଭାଷାର ଶିଶୁ ସାହିତ୍ୟିକଙ୍କ ନାମ ବାଲ୍ ସାହିତ୍ୟ ପୁରସ୍କାର ଲାଗି ଚୟନ କରାଯାଇଛି।
ତନ୍ମଧ୍ୟରେ ଓଡ଼ିଆ ଭାଷାର ଜଣାଶୁଣା ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ବାଲ୍ ସାହିତ୍ୟ ପୁରସ୍କାର-୨୦୧୯ ପାଇଁ ମନୋନୀତ କରାଯାଇଥିବା ବେଳେ ଯୁବ ସାହିତ୍ୟିକ ଶିଶିର ବେହେରାଙ୍କୁ ଓଡ଼ିଆ ଭାଷାର ଯୁବ ପୁରସ୍କାର ପାଇଁ ଚୟନ କରାଯାଇଛି। ଆଜି ସାହିତ୍ୟ ଏକାଡେମୀ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ଏହି ସୂଚନା ପ୍ରଦାନ କରାଯାଇଛି।
ଏକାଡେମୀ ପକ୍ଷରୁ ଜାରି ସୂଚନା ଅନୁସାରେ ଶିଶୁ ସାହିତ୍ୟିକ ବୀରେନ୍ଦ୍ର ସାମନ୍ତରାୟଙ୍କୁ ତାଙ୍କର ଜୀବନବ୍ୟାପି କୃତି ଲାଗି ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଥିବା ବେଳେ ଶିଶିର ବେହେରାଙ୍କୁ ତାଙ୍କର ସାହିତ୍ୟ ସମାଲୋଚନା ପୁସ୍ତକ ‘ବିମୁଗ୍ଧ ଉଚ୍ଚାରଣ’ ପାଇଁ ଯୁବ ପୁରସ୍କାର ଲାଗି ଚୟନ କରାଯାଇଛି। ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଦୁଇ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯିବ।