Tuesday, November 24, 2026
ADVERTISEMENT
Home ଆଞ୍ଚଳିକ ଶିଶୁ ଅପହରଣ ମାମଲାରେ ୨ମହିଳା ସମେତ ୬ ଗିରଫ

ଶିଶୁ ଅପହରଣ ମାମଲାରେ ୨ମହିଳା ସମେତ ୬ ଗିରଫ

241
ADVERTISEMENT

ବ୍ରହ୍ମପୁର ,(ଏଜେନ୍ସି )- ବ୍ରହ୍ମପୁର ସହରରେ ଶିଶୁ ଅପହରଣ ଓ ପରେ ବିକ୍ରି ଘଟଣାର ଖୁଲାସା କରିଛି ଗୋଷାଣି ନୂଆଗାଁ ପୋଲିସ। ଏବଂ ଘଟଣାରେ ସମ୍ପୃକ୍ତ ଥିବା ୨ ମହିଳାଙ୍କ ସମେତ ୬ ଜଣଙ୍କୁ ପୋଲିସ ସୋମବାର ଦିନ ଗିରଫ କରିଛି। ସେମାନେ ହେଲେ ଲାଞ୍ଜିପଲ୍ଲୀ ଢିପ ସାହିର ଶିବ ନାୟକ (୨୭), ଗେଟବଜାର ପାୟଲ ସିନେମା ହଲ ନିକଟରେ ରହୁଥିବା ପ୍ରଫୁଲ ନାୟକ (୪୦), ତାଙ୍କ ସ୍ତ୍ରୀ ମମତା, ଗଜପତି ନଗରର ବାବୁଲା ରଣା ଓରଫ ସନ୍ତୋଷ (୩୫), ଆନ୍ଧ୍ର ବ୍ୟାଙ୍କର ଯାଜପୁର ଶାଖାରେ ପିଅନ ଥିବା ବୃନ୍ଦାବନ ରଣା (୫୨) ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ। ଅନ୍ୟପକ୍ଷରେ ନିଖୋଜ ଥିବା ୨ ବର୍ଷର ଶିଶୁପୁତ୍ରକୁ ପୋଲିସ ଉଦ୍ଧାର କରି ଚିକିତ୍ସା କରାଇବା ପରେ ତାଙ୍କ ମା’ଙ୍କୁ ହସ୍ତାନ୍ତର କରିଛି। ମାମଲା ନଂ.୯୪/୧୯ରେ ଅଭିଯୁକ୍ତମାନଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ପାଟପୁର ଥାନା ଅନ୍ତର୍ଗତ ନରସିଂହଗଡର ମୂଳନିବାସୀ ବୃନ୍ଦାବନ ନିଃସନ୍ତାନ ଥିଲେ। ପୋଷ୍ୟ ସନ୍ତାନଟିଏ ପାଇଁ ବ୍ରହ୍ମପୁର ଗଜପତିନଗରରେ ରହି ବ୍ୟବସାୟ କରୁଥିବା ଶାଳକ ସନ୍ତୋଷଙ୍କୁ ସେ କହିଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ସୁଇପର ଥିବା ପ୍ରଫୁଲ୍ଲଙ୍କ ସହ ସନ୍ତୋଷଙ୍କ ସମ୍ପର୍କ ଥିଲା। ତେଣୁ ଭିଣୋଇଙ୍କ ପାଇଁ ପିଲାଟିଏ ଯୋଗାଡ଼ କରିବାକୁ ସେ କିଛିଦିନ ତଳେ ପ୍ରଫୁଲ୍ଲଙ୍କୁ କହିଥିଲେ। ଅନ୍ୟପକ୍ଷରେ ୧୯ ତାରିଖ ବିଳମ୍ବିତ ରାତିରେ ଶିବଙ୍କ ସହ ମିଶି ପ୍ରଫୁଲ୍ଲ ଗୁଡସ୍‌ସେଡ଼ ତମ୍ବୁ ଭିତରେ ମା’ ସହ ଶୋଇଥିବା ୨ ବର୍ଷୀୟ ଶିଶୁପୁତ୍ରକୁ ଅପହରଣ କରି ନେବାରେ ସକ୍ଷମ ହୋଇଥିଲେ। ପରଦିନ ସକାଳେ ପୁଅକୁ ନ ପାଇ ଗୋଷାଣୀ ନୂଆଗାଁ ଥାନାରେ ମା’ ଅଭିଯୋଗ କରିଥିଲେ। ସେପଟେ ଶିବ ଓ ପ୍ରଫୁଲ୍ଲ ଅପହରଣ କରିଥିବା ଶିଶୁପୁତ୍ରକୁ ନେଇ ସନ୍ତୋଷଙ୍କୁ ଦେଇଥିଲେ। ଏପରିକି ଶିଶୁପୁତ୍ରଟି ପ୍ରଫୁଲ ଓ ତାଙ୍କ ସ୍ତ୍ରୀଙ୍କର ବୋଲି ଏକ ନକଲି ଚୁକ୍ତିପତ୍ର ଜରିଆରେ ହସ୍ତାନ୍ତର କରି ସନ୍ତୋଷଙ୍କଠାରୁ ୩୦ ହଜାର ଟଙ୍କା ଆଣିଥିଲେ। ଭଉଣୀ, ଭିଣୋଇଙ୍କୁ ବ୍ରହ୍ମପୁର ଆସି ଶିଶୁଟିକୁ ନେଇଯିବାକୁ ସନ୍ତୋଷ କହିଥିଲେ। ତେଣୁ ବୃନ୍ଦାବନ ଓ ତାଙ୍କ ସ୍ତ୍ରୀ ବୈଜୟନ୍ତୀ ପିଲା ନେବାପାଇଁ ଯାଜପୁରରୁ ବ୍ରହ୍ମପୁରକୁ ଆସିଥିଲେ। ହେଲେ ଏହା ପୂର୍ବରୁ ପୋଲିସ ପ୍ରଥମେ ଶିବଙ୍କୁ କାବୁ କରିଥିଲା। ଶିବଙ୍କ ବୟାନକୁ ଆଧାର କରି ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀଙ୍କୁ ଥାନାକୁ ଆଣି ଜେରା କରିଥିଲା। ପରେ ସନ୍ତୋଷ ଓ ତାଙ୍କ ଭଉଣୀ ଭିଣୋଇଙ୍କୁ କାବୁ କରିଥିଲା।

Advertisement