ବେଗୁନିଆପଡ଼ା କନିଷ୍ଠ ଯନ୍ତ୍ରୀଙ୍କ ଅଂଶୁଘାତରେ ମୃତ୍ୟୁ

170
ADVERTISEMENT

ବ୍ରହ୍ମପୁର, ୧୨/୦୬(ଗୁମରଫ ବ୍ୟୁରୋ): ଆଜି ପୂର୍ବାହ୍ନ ୧୧ ଘଣ୍ଟା ସମୟରେ କୁମ୍ଭାରଗାଁ ପଞ୍ଚାୟତ ଦାୟିତ୍ଵରେ ଥିବା ବେଗୁନିଆପଡ଼ା ବ୍ଳକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତା ନିଜ ପଞ୍ଚାୟତର କ୍ଷେତ୍ର ପରିଦର୍ଶନ ସାରି ବ୍ଲକକୁ ଫେରିବା ସମୟରେ ଅଙ୍ଗାର ଗାଁଠାରେ ହଠାତ୍ ମୁଣ୍ଡ ବୁଲାଇ ପଡିଯାଇଥିଲେ ଓ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ମଣ୍ଡଳ ମେଡିକାଲକୁ ନେଇଯାଇଥିଲେ। ତେବେ, ସେଠାରେ ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରାଥମିକ ଚିକିତ୍ସା କରାଯିବାପରେ, ତାଙ୍କୁ ବ୍ରହ୍ମପୁରସ୍ଥିତ ଏମ୍.କେ.ସି.ଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l

ଶ୍ରୀ ହୋତା ୨ ବର୍ଷ ହେବ ଏହି ବ୍ଲକରେ କାର୍ଯ୍ୟ କରୁଥିବାବେଳେ ସେ ଜଣେ ମେଳାପୀ ସ୍ୱଭାବର ବ୍ୟକ୍ତି ଭାବେ ଖୁବ ଲୋକପ୍ରିୟ ଥିଲେ l ତାଙ୍କ ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଅଭିଯୋଗ ହେଉଥିବାବେଳେ ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ସମୟୋଚିତ ଚିକିତ୍ସା ନପାଇ ମୃତ୍ୟୁବରଣ କରିଥିବା ମଧ୍ୟ ଅଭିଯୋଗ ହେଉଛି l ତାଙ୍କ ମୃତ୍ୟୁରେ ବେଗୁନିଆପଡା ବି.ଡି.ଓ ଅରୁଣ କୁମାର ମଲ୍ଲିକଙ୍କ ସମେତ ସମସ୍ତ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ତଥା ବ୍ଲକ କର୍ମଚାରୀ ଗଭୀର ଶୋକପ୍ରକାଶ କରିଛନ୍ତି l ବ୍ରହ୍ମପୁର ଉପକଣ୍ଠସ୍ଥ ରଙ୍ଗୀପୁର ଗ୍ରାମରେ ଶ୍ରୀ ହୋତାଙ୍କ ନିଜ ଘର ହୋଇଥିବାବେଳେ ବ୍ରହ୍ମପୁରସ୍ଥିତ ରାମନଗରରେ ସେ ବର୍ତ୍ତମାନ ରହୁଥିଲେ।

Advertisement