Wednesday, August 19, 2026
ADVERTISEMENT
Home ଆଞ୍ଚଳିକ କାଗଜ କଲମରେ ସୀମିତ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ

କାଗଜ କଲମରେ ସୀମିତ ବିଶ୍ୱ ଶିଶୁଶ୍ରମିକ ନିରୋଧ ଦିବସ

335
ADVERTISEMENT

ହିଞ୍ଜିଳିକାଟୁ, ୧୨/୬ (ଶେଷଦେବ ସାହୁ): ପ୍ରତିବର୍ଷ ଜୁନ ୧୨ ତାରିଖକୁ ବିଶ୍ୱ ଶିଶୁ ଶ୍ରମିକ ନିରୋଧ ଦିବସ ଭାବେ ପାଳନ କରାଯାଉଛି । ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଉଦବେଗଜନକ ଭାବେ ଦିନକୁ ଦିନ ବୃଦ୍ଧି ପାଉଥିଲେ ମଧ୍ୟ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଶ୍ରମ ବିଭାଗ ବିଫଳ ହୋଇଛି । ପାରିବାରିକ ଆର୍ଥିକ ଦୁରାବସ୍ଥା ହେଉ କିମ୍ବା ଅନ୍ୟ କୌଣସି କାରଣରୁ ହେଉ ପରିବାର ପ୍ରତିପୋଷଣ ପାଇଁ ବହୁ ଶିଶୁ ଶ୍ରମିକ ଏବେବି ବିଭିନ୍ନ ଅନୁଷ୍ଠାନରେ ଖଟୁଥିବା ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସରକାରୀ ନୀତି, ନିୟମ ଓ କଟକଣା ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ହିଞ୍ଜିଳିକାଟୁ ଅଞ୍ଚଳରେ ଏସବୁ ବାଟବଣା ହେଉଥିବାର ସାଧାରଣରେ ମତପ୍ରକାଶ ପାଇଛି ।

ଶିଶୁ ଶ୍ରମିକମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ପ୍ରଶାସନ ସେଭଳି କୌଣସି ସୁଚିନ୍ତିତ ପଦକ୍ଷେପ ନେଉନାହିଁ । ତେଣୁ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଥମିବାର ନାଁ ମଧ୍ୟ ନେଉନି । ଏବେ ବି ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳର ଅଧିକାଂଶ ହୋଟେଲ, ଗ୍ୟାରେଜ୍, ତେଜରାତି ଦୋକାନ, ରେଷ୍ଟରାଣ୍ଟ, ପାନ ଦୋକାନ, ଫାଷ୍ଟଫୁଡ଼ ଦୋକାନ, ଛୋଟବଡ଼ ଶିଳ୍ପାନୁଷ୍ଠାନ ସମେତ ବହୁ ବ୍ୟବସାୟିକ ପ୍ରତିଷ୍ଠାନ ଓ ବହୁ ବଡ଼ବଡ଼ିଆଙ୍କ ବାସଗୃହଗୁଡ଼ିକରେ ୧୨ ରୁ ୧୮ ବର୍ଷ ବୟସର ଶିଶୁମାନେ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳୁଛି । ଶିଶୁ ଶ୍ରମିକ ପଥାକୁ ବିଲୋପ କରିବା ସହ ସେମାନଙ୍କୁ ଉଦ୍ଧାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ନିରବଦ୍ରଷ୍ଟା ସାଙ୍ଗକୁ ରୀତିମତ ଚଢାଉ କରାଯାଉନଥିବା ଯୋଗୁଁ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତିବର୍ତ୍ତୀ ଅଞ୍ଚଳରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସେମାନେ ହସଖେଳ ଏବଂ ପାଠପଢାଠାରୁ ଦୂରେଇରହି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରେ କାମଧନ୍ଦା କରୁଛନ୍ତି । ସେମାନେ ସେମାନଙ୍କର ଅଧିକାରରୁ ବଞ୍ଚିତ ହେଉଛନ୍ତି ।

ଏହି ଶିଶୁ ମାନଙ୍କୁ ଉଦ୍ଧାର କରିବା ଦାୟିତ୍ୱ ହେଉଛି ଶ୍ରମ ବିଭାଗର । ହେଲେ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ଦିଗରେ ଶ୍ରମ ବିଭାଗ ତତ୍ପରତା ପ୍ରକାଶ କରୁନଥିବା ଦେଖିବାକୁ ମିଳୁଛି । ତେବେ, ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଲେ ହିଞ୍ଜିଳିକାଟୁ ଅଞ୍ଚଳରେ ଶିଶୁ ଶ୍ରମିକ ଭଳି କୁପ୍ରଥା ସମ୍ପୂର୍ଣ୍ଣ ବନ୍ଦ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Advertisement