ବ୍ରହ୍ମପୁର,o୮/o୯(ଇ ରଞ୍ଜନ) : ଯାନବାହନ ଯାଞ୍ଚ ବେଳେ ବିନା ରସିଦ୍ରେ ଜରିମାନା ଆଦାୟ କରି ନିଜ ପକେଟରେ ରଖିବା ଜଣେ ପୁଲିସ ଏଏସ୍ଆଇଙ୍କୁ ମହଙ୍ଗା ପଡ଼ିଛି। ଏହା ସହିତ ପୂର୍ବରୁ ତାଙ୍କ ନାମରେ ବିଭିନ୍ନ ପ୍ରକାର ଅଭିଯୋଗ ଥିବାରୁ ଜଣେ ବରିଷ୍ଠ ଅଧିକାରୀ ଘଟଣାର ତଦନ୍ତ କରିଥିଲେ। ଏହା ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଟ୍ରାଫିକ୍ ଥାନା ଏଏସ୍ଆଇ ସୁଗୁ ନାରାୟଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି।
ଏଏସ୍ଆଇ ନାରାୟଣ ଗତ ୨୭ତାରିଖରେ ଫାଷ୍ଟଗେଟ ଛକରେ ଗାଡ଼ି ଯାଞ୍ଚ କରୁଥିଲେ। ଏହି ସମୟରେ ହିଂଜିଳିକାଟୁର ବଦ୍ରିନାଥ ପଣ୍ଡା ଗତ ୨୭ତାରିଖରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ଆସିଥିଲେ। ଫାଷ୍ଟଗେଟ ଛକରେ ନାରାୟଣ ତାଙ୍କର ଗାଡ଼ି ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ। ଯାଞ୍ଚ ପରେ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ତାଙ୍କୁ ୨୦୦ ଟଙ୍କା ଦେବାକୁ କହିଥିଲେ। ବଦ୍ରିନାଥ ନାରାୟଣଙ୍କୁ ୨୦୦ ଟଙ୍କା ଦେବା ପରେ ରସିଦ ମାଗିଥିଲେ। ହେଲେ ଏଏସ୍ଆଇ ଜଣକ ରସିଦ ନଦେଇ ତାଙ୍କୁ ସେଠାରୁ ଚାଲିଯିବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ବଦ୍ରିନାଥ ଟ୍ରାଫିକ୍ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ଟ୍ରାଫିକ ଡିଏସ୍ପି ଦାୟିତ୍ୱରେ ଥିବା ରାମକୃଷ୍ଣ ପତି ଘଟଣାର ତଦନ୍ତ କରି ଏସ୍ପିଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲେ। ସେହି ରିପୋର୍ଟକୁ ଆଧାର କରି ଏସ୍ପି ମିଶ୍ର ନାରାୟଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ନାମରେ ଦାୟିତ୍ବରେ ଅବହେଳା ନେଇ ବହୁବାର ଅଭିଯୋଗ ଆସିଥିଲା ବୋଲି ଏସ୍ପି କହିଛନ୍ତି।

















