ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ : ହଜାର ହଜାର ହେକ୍ଟର ଚାଷ ଜମି ଏବଂ ୫୯ ନଂ ଜାତୀୟ ରାଜପଥ ଜଳମଗ୍ନ

363
ADVERTISEMENT

ହିଞ୍ଜିଳିକାଟୁ,o୬/o୯(ଶେଷଦେବ ସାହୁ) : ଦକ୍ଷିଣ ପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ (ଡ଼ିପ୍ ଡ଼ିପ୍ରେସନ)ରେ ପରିଣତ ହେବା ପରେ ବୁଧବାର ବିଳମ୍ବିତ ରାତିରୁ ଲଗାଣ ବର୍ଷା ଲାଗି ରହିଛି । ଏହାର ପ୍ରଭାବରେ ବୁଧବାର ବିଳମ୍ବିତ ରାତ୍ର ଠାରୁ ଲଗାଣ ବର୍ଷା ଯୋଗୁଁ ହିଞ୍ଜିଳିକାଟୁ ସହରରେ ପ୍ରଭାହିତ ହେଉଥିବା ଘୋଡ଼ାହାଡ଼ ନଦୀରେ ବନ୍ୟା ଆସିଛି । ପ୍ରବଳ ବର୍ଷା କାରଣରୁ ଏଭଳି ସଙ୍ଘିନ ସ୍ଥିତି ଉପୁଜିଛି । ହିଞ୍ଜିଳିକାଟୁ ଜଳସମ୍ପଦ ବିଭାଗ ପକ୍ଷରୁ ନିୟନ୍ତ୍ରଣ କକ୍ଷ ପକ୍ଷରୁ ମିଳିଥିବା ସୂଚନା ଆଧାରରେ ଗୁରୁବାର ସକାଳ ୬ ଟାରୁ ଅପରାହ୍ନ ୪ଟା ମଧ୍ୟରେ ୨୧୫ ମି.ମି. ବର୍ଷା ରେକଡର଼୍ କରାଯାଇଛି । ଅପରପକ୍ଷରେ ବର୍ଷାର ପ୍ରଭାବରୁ ହିଞ୍ଜିଳିକାଟୁ ଘୋଡ଼ାହାଡ଼ ନଦୀରେ ବିପଦ ସଙ୍କେତ ଉପରେ ବର୍ଷାା ଜଳ ପ୍ରବାହିତ ହେଉଛି । ଘୋଡ଼ାହାଡ଼ ନଦୀର ଜଳସ୍ତର ୧୧ ଫୁଟ ବା ୨୬.୦୬ ମିଟର ରହିଥିବା ବେଳେ ୪ ଟି ଗେଟ ଖୋଲା ଯାଇଛି । ଏହାର ପ୍ରଭାବ ସିଧା ହିଞ୍ଜିଳିକାଟୁ ବ୍ଳକର ବିଭିନ୍ନ ଅଂଚଳରେ ପଡ଼ିଥିବାର ଦେଖିବାକୁ ମିଳିଛି । ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳିକାଟୁ ସହର ନିକଟସ୍ଥ ଖଣ୍ଡରା, ନୁଆଁ ବୁରୁପୋଡ଼ା, ସମରଝୋଳ ଛକରେ ଜାତୀୟ ରାଜପଥ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ବ୍ରହ୍ମପୁର ଠାରୁ ଆସିକା, ଶେରଗଡ଼, ଭଂଜନଗର, ଫୁଲବାଣୀ, ସୋରଡ଼ା, ଦାରିଙ୍ଗିବାଡ଼ି ପ୍ରଭୃତି ଅଂଚଳକୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଲଗାଣ ବର୍ଷା ଯୋଗୁଁ ଚାଷ ଜମି ଜଳାବର୍ଣ୍ଣ ହୋଇ ପଡ଼ିଥିଲା । ଧାନ ରୋଇବାର କିଛି ଦିନ ପରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏକର କିମ୍ବା ୨ ଏକର ନୁହେଁ ହଜାର ହଜାର ଏକରରୁ ଉର୍ଦ୍ଧ୍ୱ ଧାନଚାଷ ଜମିରେ ବଢି ପାଣି ଲହଡ଼ା ଭାଙ୍ଗୁଛି । ସତେ ଯେପରି ଚାଷଜମି ଗୁଡ଼ିକ କୃତିମ ସାଗର ପାଲଟିଯାଇଛି । ଏଭଳି ଅବସ୍ଥା ଅଗରୁ କେବେ ଘଟିନଥିଲା ବୋଲି ସଂପୃକ୍ତ ଚାଷୀ ମାନେ କହିଛନ୍ତି । ୭/୮ ଫୁଟ ଉଚ୍ଚତାରେ ଏହି ବିସ୍ତୀର୍ଣ୍ଣ ଚାଷ ଜମିକୁ ଘେରି ରହିଛି ବଢି ପାଣି । ଚାଷ ଜମିରୁ ଏହି ବଢି ପାଣି ନିଷ୍କାସନ ହେବା ପାଇଁ ଆହୁରି ୪/୫ ଦିନ ଲାଗିବ ବୋଲି ଚାଷୀ ମାନେ କହିଛନ୍ତି । ଇତି ମଧ୍ୟରେ ସବୁ ରୁଆ ଧାନ ପୋଚକା ହୋଇଯିବା ସମ୍ଭାବନା ରହିଛି । ସୋମବାର ଠାରୁ ପୁଣି ଥରେ ଲଘୁଚାପ ବର୍ଷା ହେବ ବୋଲି ପାଣିପାଗ ପୂର୍ବାନୁମାନ କରିଛି । ପାଣିପାଗ ସୂଚନା ପାଇବା ପରେ ପୁଣି ଥରେ ଚାଷୀଙ୍କ ମନରେ ଛନକା ପଶିଛି । କେହି କେହି ଚାଷୀର ଧାନ ତଳି ଭାଙ୍ଗି ରଖିଥିବା ସମୟରେ ଏହି ବଢି ପାଣି ଧୋଇ ନେଇଯାଇଛି । ଏବେ ଚାଷୀଙ୍କ ମୁଣ୍ଡ ଉପରେ ଚିନ୍ତା । ପାଖରେ ବଳକା ବିହନ ନାହିଁ କି ତଳି ପକାଇବାକେୁ ସମୟ ନାହିଁ । ଏଭଳି ସ୍ଥିତିରେ ସଂପୃକ୍ତ ଚାଷୀ ମାନେ ଏକ ମନୁଷ୍ୟକୃତ ବିପଦରେ ଛନ୍ଦି ହୋଇ ପଡ଼ିଛନ୍ତି । ହିଂଜିଳିକାଟୁ ବ୍ଳକର ନଦୀ ଉପକୂଳ ବର୍ତି ଅଂଚଳ ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଗିରିଆ , ନାରାୟଣପୁର, ଖରିଡ଼ା ଅଂଚଳର ଜନସାଧାରଣ ଭୟଗୀତ ଅବସ୍ଥାରେ ରହିଛନ୍ତି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଟାନ ଗ୍ରହଣ ସକାଶେ ତତ୍ପର ଥିବା ଜଣାପଡ଼ିଛି । ଗୁରୁବାର ସକାଳେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥଙ୍କସମେତ ବହୁ ବିଭାଗୀୟ ଅଧିକାରୀ ସ୍ଥାନୀୟ ବ୍ଳକର ନଦୀ ଉପକୂଳ ବର୍ତି ଅଂଚଳ ଗୁଡ଼ିକର ବୁଲି ଦେଖିବା ସହ ସଂପୃକ୍ତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି ।

Advertisement