ଅକ୍ଟୋବର ୨ରୁ ମୋ ସରକାର : ଡିଆଇଜି ଏହାର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ

319
ADVERTISEMENT

ଛତ୍ରପୁର,o୩/o୯(ଏଜେନସି ) : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ‘ମୋ ସରକାର’ କାର୍ଯ୍ୟକାରୀ ହେବା ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା ଏହାର ଲକ୍ଷ୍ୟ , ସ୍ବାଧୀନତା ଦିବସ ସମାରୋହରେ ମୁଖ୍ୟମନ୍ତ୍ରୀ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ସୋମବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସ୍‌ପିଙ୍କ ସମ୍ମିଳନୀ ଗୃହରେ ଏହାର ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଯୋଗଦେଇ ମୋ ସରକାର କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ବୈଠକରେ ଉପସ୍ଥିତ ପୋଲିସ ଅଧିକାରୀମାନଙ୍କୁ ସୂଚନା ଦେବା ସହ ଏହାର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ। ଥାନାରେ କର୍ମଚାରୀଙ୍କ ଆଚରଣ କିଭଳି ବୃତ୍ତିଗତ ଓ ବନ୍ଧୁତ୍ୱପୂର୍ଣ୍ଣ ହେବ ତାହା ଉପରେ ଧ୍ୟାନ ଦେବାକୁ ଡିଆଇଜି କହିଥିଲେ । ଏଥିସହ ଥାନାକୁ ଆସୁଥିବା ଲୋକଙ୍କ କାର୍ଯ୍ୟ ସହଜରେ କିପରି ହୋଇପାରିବ ସେ ନେଇ ଏବେଠୁ ପ୍ରସ୍ତୁତ ରହିବାକୁ ବୈଠକରେ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଫୋନ୍‌ କରି ଥାନାକୁ ଯାଇଥିବା ଜନସାଧାରଣଙ୍କ ଠାରୁ ପ୍ରତିକ୍ରିୟା ନେବେ। ତେଣୁ ଏହା ଉପରେ ଯଥେଷ୍ଟ ଧ୍ୟାନ ଦେବାକୁ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଥିଲେ । ଏକ କଲ୍‌ ସେଣ୍ଟର ରହିବ ଏବଂ ଥାନାରେ ଅଭିଯୋଗ ଦେଇଥିବା ବ୍ୟକ୍ତିଙ୍କ ମୋବାଇଲ ନମ୍ବର ରହିବ । ଥାନାକୁ ଆସୁଥିବା ଲୋକଙ୍କୁ ଆଇଆଇସି ତାଙ୍କ ମୋବାଇଲ ନମ୍ବର ଦେବାକୁ ହେବ ବୋଲି କୁହାଯାଇଥିଲା। ଏହି ଅବସରରେ ସାଧନ କର୍ମୀଙ୍କ ପକ୍ଷରୁ ମୋ ସରକାର କାର୍ଯ୍ୟକ୍ରମ ଉପରେ ତାଲିମ ପ୍ରଦାନ କରାଯାଇଥିଲା । ବୈଠକରେ ଅତିରିକ୍ତ ଏସପି ପତିତପାବନ ଚୌଧୁରୀ, ଡିଏସପି ଏସ୍‌. ପ୍ରଧାନ ଓ ପି. କେ ଦଳାଇ, ଛତ୍ରପୁର ଏସଡିପିଓ ଉକତ୍ଳ କେଶରୀ ଦାଶଙ୍କ ସମେତ ଜିଲାର ସମସ୍ତ ଥାନା ଆଇଆଇସିମାନେ ଉପସ୍ଥିତ ଥିଲେ ।

Advertisement