ବେଲଗୁଣ୍ଠା,୩୦/୮(ଏଜେନସି) : କଥାରେ ଅଛି ବାର ମାସରେ ତେର ପର୍ବ ଏବଂ ତା’ଭିତରେ ଅନେକ ଯାତ୍ରା ବା ପର୍ବପର୍ବାଣୀ । କିନ୍ତୁ ଭଞ୍ଜନଗର ଉପଖଣ୍ଡ ବେଲଗୁଣ୍ଠା ବ୍ଲକ ର ପାଲକଷଣ୍ଢା ଗ୍ରାମର ଏକ ନିଆରା ଯାତ୍ରା ନଳ ଯାତ୍ରା ଯେଉଁଠି ଈଶ୍ୱର ବିଶ୍ୱାସୀ ଲୋକେ ବାଉଁଶ ବା ନଳ କୁ ପୂଜା କରନ୍ତି । ବାଉଁଶ ଦେହରେ ଠାକୁରାଣୀ ଙ୍କୁ ଉଭା କରି ମାନସିକଧାରୀ ମାନେ ନିଜ ଦେହରେ ସେହି ନଳକୁ ଧରି ଗାଁ ସାରା ପରିକ୍ରମା କରନ୍ତି ଏବଂ ଗାଁ ରେ ଥିବା ନିଘଞ୍ଚ ଜଙ୍ଗଲକୁ ନେଇ ସେଠାରେ ରିତିନୀତି ଅନୁଯାୟୀ ପୂଜା କରି ପରମ୍ପରା ଅନୁସାରେ ଛାଗ ବଳୀ ଦିଆଯାଇଥାଏ । ଏହି ନିଆରା ଯାତ୍ରା କେଉଁ ଆଦିମ କାଳରୁ ଶହ ଶହ ବର୍ଷ ଧରି ପରମ୍ପରାଗତ ଭାବେ ଚାଲି ଆସୁଛି । ଏହି ବାଉଁଶ ପୂଜା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ବର୍ଷା ହୁଏ କେବେ ମରୁଡି ହୁଏ ନାହିଁ ଏବଂ ଚାଷୀର ଖନ୍ଦରେ ପୋକ ମଧ୍ୟ ଲାଗେନାହିଁ । ଏବଂ ଶସ୍ୟ ମଧ୍ୟ ଭଲ ଅମଳ ହୁଏ ଏହା ସହିତ ସ୍ଥାନୀୟ ଅଞ୍ଚଳର ମଙ୍ଗଳ ଓ ଉନ୍ନତି ହୁଏ ବୋଲି ଗ୍ରାମବାସୀଙ୍କ ମନରେ ବିଶ୍ୱାସ ରହିଛି । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏଭଳି ଏକ ବିଶ୍ଵାସ ପ୍ରତୀକ, ଅଦ୍ଭୁତ ଓ ଅଲୌକିକ ପରମ୍ପରା ଯାତ୍ରା ରହିଛି ।
















