ସାନଖେମୁଣ୍ଡି,୩୦/୮(ଏଜେନସି) : ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ପ୍ରଣୀତ ସ୍ୱତନ୍ତ୍ର ବ୍ୟବସ୍ଥା ଅନୁସାରେ ପ୍ରତି ହାଇସ୍କୁଲରେ ପରିଚାଳନା କମିଟି ଗଠନ ପାଇଁ କଡାକଡି ଆଦେଶ ରହିଛି । ସାନଖେମୁଣ୍ଡି ବ୍ଲକ ଆଡପଡା ପଞ୍ଚାୟତରେ ସ୍ଥାପିତ ମାଣିକେଶ୍ୱରୀ ବିଦ୍ୟାପୀଠରେ ୨୦୧୫ ମସିହା ପରଠାରୁ ପରିଚାଳନା କମିଟି ନଥିବା କାରଣରୁ ସ୍କୁଲର ବିକାଶ ଅଚଳାବସ୍ଥା ସୃଷ୍ଟି ହେବା ସହ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଆନୁସଙ୍ଗିକ ପାଣ୍ଠି ଖର୍ଚ୍ଚ ନହୋଇ ପଡିରହିଛି । ୧୯୮୯ ମସିହାରୁ ଗ୍ରାମ ବୃଦ୍ଧିଜୀବୀ ମାନଙ୍କ ଦ୍ୱାରା ସ୍ଥାପିତ ଏହି ଘରୋଇ ଅନୁଷ୍ଠାନ ସମ୍ପ୍ରତି ବ୍ଲକ ଗ୍ରାଣ୍ଟ ହାସିଲ କରିଥିବା ବେଳେ ୩ଟି ଶ୍ରେଣୀରେ ପ୍ରାୟ ୩୦୦ ଶିକ୍ଷାର୍ଥୀ ଅଧ୍ୟୟନ କରିଥିବା ଜଣାଯାଇଅଛି । ଅଞ୍ଚଳରେ ସୁନାମ ଅର୍ଜନ କରି ମେଧାବୀ ଶିକ୍ଷାର୍ଥୀଙ୍କୁ ସୃଷ୍ଟି କରୁଥିବା ଏହି ଶିକ୍ଷାନୁଷ୍ଠାନରେ ସମ୍ପ୍ରତି ଆବଶ୍ୟକ ଭିତିଭୁମି ବିକାଶ ପାଇଁ ଆବଶ୍ୟକୀୟ ଅର୍ଥ ବିଭିନ୍ନ ସୂତ୍ରରୁ ଆସୁଥିଲେ ମଧ୍ୟ କମିଟି ଗଠନ ନହେବା କାରଣରୁ ଅର୍ଥ ବିନିଯୋଗ ନହେବା ପରିତାପର ବିଷୟ ହେତୁ ଆଡପଡା ସରପଞ୍ଚ ନୀଳମାଧଵ ରାଉତ ସମ୍ପ୍ରତି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଏ ବିଷୟରେ ଅବଗତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ପତ୍ରସଂଖ୍ୟା ୨୨/୨୦୧୬ ପ୍ରକାରେ ତା-୨୪-୦୯-୨୦୧୬ ମସିହାରେ ତତ୍କାଳୀନ ପ୍ରଧାନଶିକ୍ଷକ ସ୍କୁଲ କମିଟି ଗଠନ କରି ପ୍ରସ୍ତାବ ମଞ୍ଜୁରୀ ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦେଇଥିଲେ ମଧ୍ୟ ତାର ମଞ୍ଜୁରୀ ହୋଇନଥିବା ଜଣାଯାଇଅଛି । ଏହି ଅଞ୍ଚଳରେ ଶିକ୍ଷାର ସଂସ୍କାର ପାଇଁ ଗଢିଉଠିଥିବା ଏହି ଶିକ୍ଷାନୁଷ୍ଠାନର ବିକାଶ ତଥା ଉନ୍ନୟନ ପାଇଁ ଥିବା ତିତିଲି ପାଣ୍ଠିରେ ଶ୍ରେଣୀ ଗୃହ ପାଇଁ ୧୦ଲକ୍ଷ, ବିଦ୍ୟାଳୟ ପୁନର୍ଗଠନ ପାଇଁ ରାଜ୍ୟଶିକ୍ଷା ବିଭାଗର ୧୧ଲକ୍ଷ,ପିଇଟି ଗୃହ ପାଇଁ ୭୦ହଜାର ଏବଂ ଶୌଚାଳୟ ପାଇଁ ଥିବା ୩୦ହଜାର ଟଙ୍କାର ବିନିଯୋଗ କରିବା ପାଇଁ ଅଗରିହାର୍ଯ୍ୟ ହୋଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଆଡପଡା ହାଇସ୍କୁଲର ସାମୁହିକ ବିକାଶ ଲାଗି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ନୂତନ କମିଟି ଗଠନ କରାଇବାକୁ ସରପଞ୍ଚ ଦାବି କରିଛନ୍ତି ।

















