ଗଞ୍ଜାମ,୩୦/୮ : ମଧ୍ୟାହ୍ନ ଭୋଜନରେ ସାଲୁବାଲୁ ହେଉଛନ୍ତି ପୋକ। ଥାଳିରେ ଭାତ ଡାଲି କମ୍, କିନ୍ତୁ ପୋକ ସଂଖ୍ୟା ଅଧିକ। ଏହି ଅଭିଯୋଗ ଆସିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭିକାପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ। ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ପିଲାମାନେ ଅଭିଯୋଗ କରିବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଛି। ଲୋକେ ସ୍କୁଲରେ ତାଲା ପକାଇ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରାଙ୍କୁ ଘେରାଉ କରିଛନ୍ତି।
ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ, ଏହା କେବଳ ଆଜିର ଘଟଣା ନୁହେଁ ବାରମ୍ବାର ପୋକରା ଚାଉଳ ସହିତ ପୋକଖିଆ ପନିପରିବାରେ ମଧ୍ୟାହ୍ନ ଭୋଜନ ରନ୍ଧା ଯାଉଛି। ଯେତେ ଅଭିଯୋଗ କଲେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଶୁଣୁ ନାହାନ୍ତି। ତେଣୁ ଆଜି ଶତାଧିକ ଅଭିଭାବକ ସ୍କୁଲ୍ ଘେରାଉ କରିଛନ୍ତି। ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ବେହେରା ଓ ସହ ଶିକ୍ଷକ ରାମଚନ୍ଦ୍ର ବେହେରାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରିବାକୁ ଗାଁ ଲୋକମାନେ ଦାବି କରିଛନ୍ତି।
















