ଭଞ୍ଜନଗର ସହରରେ ଜବରଦଖଲ ଉଚ୍ଛେଦ

288
ADVERTISEMENT

ଭଞ୍ଜନଗର,୩୦/୮(ଏଜେନସି) : ବହୁ ପ୍ରତିକ୍ଷିତ ଭଞ୍ଜନଗର ଏନ୍‌ଏସିର ଖଲାସି ସାହିରୁ ଗୁରୁବାର ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଉଚ୍ଛେଦ ଆରମ୍ଭ ସମୟରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ ଉଚ୍ଛେଦ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ଖଲାସି ସାହିରେ ଆଜି ୪୦ ପ୍ରତିଶତ ଉଚ୍ଛେଦ ହୋଇଥିଲା। ସନ୍ଧ୍ୟା ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଉଚ୍ଛେଦ ପରେ ରାସ୍ତାରେ ପଡ଼ିଥିବା ଗୋଡ଼ି, ମାଟି, ପଥର, ଇଟାକୁ ବାହାର କରିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ରାତି ତମାମ ଏହି କାମ ଚାଲିବ। ଶୁକ୍ରବାର ପୁଣି ଉଚ୍ଛେଦ ହେବ। ତେଣୁ ଏନେଇ ଆଜି ସନ୍ଧ୍ୟାରେ ଏନ୍‌ଏସି କାର୍ଯ୍ୟାଳୟ ପରିସରରେ ଆଗାମୀ କାର୍ଯ୍ୟକ୍ରମ ଉପରେ ଏକ ସମୀକ୍ଷା ବୈଠକ ହୋଇଥିଲା। ବୈଠକରେ ଉପ ଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ନିର୍ବାହୀ ଅଧିକାରୀ ଭଜରାମ ବିଶ୍ୱାଳ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ରମେଶ ପ୍ରସାଦ ସ୍ବାଇଁ, ତହସିଲଦାର ଦୀନମଣି ନାୟକ, ଏନ୍‌ଏସି ଯନ୍ତ୍ରୀ ସୁଶାନ୍ତ କୁମାର ସାହୁ, ଜନସ୍ବାସ୍ଥ୍ୟ, ଟେଲିଫୋନ, ସାଉଥ୍‌କୋ ସମେତ ପ୍ରମୁଖ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଉଚ୍ଛେଦ ସମୟରେ ବିଶୃଙ୍ଖଳା ଆଶଙ୍କାରେ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ଭଞ୍ଜନଗର ଖଲାସିସାହି ରାସ୍ତାକୁ ଲୋକେ ବହୁବର୍ଷ ହେବ ଜବରଦଖଲ କରି ରଖିଥିଲେ। ବିଗତ ଦିନରେ ବହୁବାର ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଥିଲା। କିନ୍ତୁ ବିଭିନ୍ନ କାରଣରୁ ତାହା ସଫଳ ହୋଇପାରିନଥିଲା। ଶୁକ୍ରବାର ଡ୍ରେନ୍‌ ପର୍ଯ୍ୟନ୍ତ ହିଁ ଉଚ୍ଛେଦ ହୋଇଛି।

Advertisement