ପାରଳାଖେମୁଣ୍ଡି,୨୭/୮(ପ୍ରଭାତ କୁମାର ପାତ୍ର) : ବିପଦ ସଙ୍କୁଳ ଅବସ୍ଥା ୧୪୦ ବର୍ଷ ପୁରୁଣା ପୋଲ। ଭାରିଯାନରେ ଯିବାକୁ ଡର ଲାଗୁଛି। କେତେବେଳେ ଯେ ଭୁଷୁଡିଯିବ ସେ ଚିନ୍ତାରେ ଲୋକେ । ଗଜପତି ଜିଲ୍ଲା ମାଛମରା ଠାରେ ଥିବା ମହେଦ୍ରତନୟା ନଦୀ ପୋଲ ଜିଲ୍ଲା ସଦରମହକୁମା ସହ ୪ଟି ଆଦିବାସୀ ବହୁଳ ବ୍ଳକ୍କୁ ଯୋଗାଯୋଗ କରୁଛି ।

ଏହି ପୁରୁଣା ପୋଲକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଏହାର ବିକଳ୍ପ ଏଯାଏଁ ଚିନ୍ତା କରାଯାଇନାହିଁ । ସଦରମହକୁମା ଠାରୁ ୨୦ କିମି ଦୂରରେ ଥିବା ମାଛମରା ଠାରେ ମହେନ୍ଦ୍ରତନୟା ନଦୀ ଉପରେ ଏକ ପୋଲ ରହିଛି ଯାହାକି ୧୮୨୨ ମସିହାରେ ନିର୍ମାଣ ହୋଇଥିଲା । ଏହି ଭିତରେ ବିତିଯାଇଛି ୧୪୦ ବର୍ଷ । ଏହି ପୋଲ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା କୁହାଯାଉଛି। ଗଜପତି ଜିଲ୍ଲାର ମୋହନା, ରା. ଉଦୟଗିରି, ନୁଆଗଡ, ରାୟଗଡ ବ୍ଲକ଼କୁ ଜିଲ୍ଲା ସଦରମହକୁମାକୁ ଯୋଡିବାର ମୁଖ୍ୟ ରାସ୍ତା ତେବେ ଏହି ପୋଲ ଭାଙ୍ଗିଗଲେ ଲୋକେ ନାହିଁ ନଥିବାର ସମ୍ମୁଖିନ ହେବେ। ବାତ୍ୟା ସମୟରେ ଏହି ପୋଲ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । କେବଳ ଏତିକି ନୁହେଁ ଏହି ପୋଲ ନିକଟରୁ ବେଆଇନ୍ ଭାବେ ବାଲି ଉଠାଇ ହେଉଥିବାରୁ ଏହା ଉପରେ ପ୍ରଭାବ ପଡୁଥିବା କହିଛନ୍ତି ଲୋକେ। ପୋଲର ସ୍ଥିତିକୁ ନେଇ ଇଞ୍ଜିନିୟରି ମାନେ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି । ଏହି ପୋଲ ନିର୍ମାଣ ହେବାତ ଦୂରର କଥା ଏଥିରେ ଉଠିଥିବା ଗଛକୁ ମଧ୍ୟ କଡାଯାଉନାହିଁ । ଯାହା ବିଭାଗୀୟ କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ଏହି ଉପରେ ବିଶେଷ ଦୃଷ୍ଟି ଦେଇ ବିକଳ୍ପ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି । ପାରଳାଖେମୁଣ୍ଡି ଠାରୁ ମୋହନା ଯାଏଁ ଲମ୍ବିଥିବା ରାସ୍ତା ଅଣ ଓସାରିଆ ଫଳରେ ଗତ କିଛି ବର୍ଷ ତଳେ ଏହାର ଦୋହରୀକରଣ କାମ କରାଯାଇଥିଲା । ତେବେ ରାସ୍ତା ନିର୍ମାଣ ବେଳେ ପୋଲ ମରାମତି କିମ୍ବା ନୂତନ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନେଇଥିଲେ ପୂର୍ତ୍ତ ବିଭାଗ, ଯାହାକି ବର୍ତ୍ତମାନ ଭୁଷୁଡିବା ପରିସ୍ଥିତିକୁ ଆସିସାରିଛି । ବର୍ତ୍ତମାନ ଏହି ରାସ୍ତା ରାଜପଥ ବିଭାଗକୁ ହସ୍ତାନ୍ତର ହୋଇସାରିଥିବା ବେଳେ ଏହାର ସ୍ଥିତିକୁ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଅନୁପମ ସାହା କହିଛନ୍ତି । ଶତାୟୁ ପୁରାତନ ଏହି ପୋଲ କେତେବେଳେ ଯେ ଭୁଷୁଡିଯିବ ତାହା କହିବା ମୁସ୍କିଲ । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଜରୁରୀ ହୋଇପଡିଛି।

















