ଋଷିକୂଲ୍ୟା ନଦୀରେ ନିଖୋଜ ଯୁବତୀଙ୍କ ଶବ ଘୋଡ଼ାହାଡ଼ ନଦୀରୁ ଉଦ୍ଧାର

331
ADVERTISEMENT

ହିଂଜିଳିକାଟୁ, ୨୬/୮ (ଶେଷଦେବ ସାହୁ): ହିଂଜିଳି ଥାନା କାଂଜିଆମା ଗ୍ରାମ ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀକୁ ରବିବାର ସକାଳେ ସ୍ନାନ କରିବାକୁ ଯାଇଥିବା ସମୟରେ ଅସାବଧାନ ବଶତଃ ଗୋଡ଼ ଖସିଯିବାରୁ ୫ ଜଣ ଯୁବତୀ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଗ୍ରାମବାସୀଙ୍କ ସହାୟତାରେ ୪ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିଲେ । ସୋମବାର ସକାଳୁ ହିଂଜିଳି ଥାନା ଗିରିଆ ଗ୍ରାମ ଘୋଡ଼ାହାଡ଼ ନଦୀ ପଠାରୁ ନିଖୋଜ ଯୁବତୀଙ୍କ ଶବକୁ ଉଦ୍ଧାର କରାଯାଇଛି । ମୃତକ ଜଣକ ହିଂଜିଳି ଥାନା କାଂଜିଆମା ଗ୍ରାମର ମୁଳିଆ ବେହେରାଙ୍କ ଝିଅ ସିଲି (୧୮) । ଖବା ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ଶବକୁ ଜବତ କରିଥିଲେ । ଏ ନେଇ ନଂ- ୨୧/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ । ଶବ ବ୍ୟବଛେଦ ପରେ ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଗ୍ରାମରେ ଯୁବତୀଙ୍କ ଶବ ପଂହଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପ୍ରକାଶ ଯେ, ହିଂଜିଳିକାଟୁ ଥାନା ତଥା ଶେରଗଡ଼ ବ୍ଳକ କାଂଜିଆମା ଗ୍ରାମରେ ରବିବାରେ ସକାଳେ ଖୁଦୁରିକଣା ଓଷା କରିବା ଲାଗି ଗ୍ରାମର ବହୁ ଯୁବତୀ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ନଦୀକୁ ସ୍ନାନ କରିବା ପାଇଁ ଯାଇଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ ୫ ଯୁବତୀ । ଉପସ୍ଥିତ କିଛି ବ୍ୟକ୍ତି ୪ ଯୁବତୀଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଜଣେ ଯୁବତୀ ନିଖୋଜ ଥିଲେ । ଉପସ୍ଥିତ ଅନ୍ୟ ଯୁବତୀ ମାନେ ଚିକ୍ରାର କରିବାରୁ ନଦୀ ନିକଟରେ ଉପସ୍ଥିତ ଗ୍ରାମର କିଛି ବ୍ୟକ୍ତି ନଦୀ ମଧ୍ୟରେ ପଶି ୪ ଜଣ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ସେମାନେ ହେଲେ ପୂଜା ବେହେରା, ଲିଜା ବେହେରା, ପୂଜା ଜେନା, ରୁପାଲି ବେହେରା । ଅନ୍ୟ ଜଣେ ଯୁବତୀ ସିଲି ବେହେରା ନଦୀର ପ୍ରଖର ସ୍ରୋତର ଭାସି ଯାଇଥିଲେ । ଖବର ପାଇ ହିଂଜିଳିକାଟୁ ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପଂହଚି ଘଟଣାର ତଦନ୍ତ କରିଥିଲେ । ଦୀର୍ଘ ୬ ଘଂଟା ଧରି ଦମକଳ ବାହିନୀ କର୍ମଚାରୀ ମାନେ ଖୋଜାଖୋଜି କରିଥିଲେ ମଧ୍ୟ ନିଖୋଜ ଯୁବତୀର ସନ୍ଧାନ ମିଳି ପାରିନଥିଲା ।

Advertisement