ଫୁଲବାଣୀ ,୨୬/୮(ସୁରେଶକୁମାର ପଣ୍ଡା ) : କନ୍ଧମାଳ ଜିଲ୍ଲା କ. ନୂଆଗାଁ କୁଡୁତୁଲି ହାଇସ୍କୁଲର ଜଣେ ସହକାରୀ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ସ୍କୁଲର ସହକର୍ମୀ ଶିକ୍ଷକମାନେ ତାଙ୍କୁ ଏପରି ନିର୍ଯାତନା ଦେଉଥିବା ସଂପୃକ୍ତ ଶିକ୍ଷୟିତ୍ରୀ କ.ନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସ୍କୁଲର ଜଣେ ଶିକ୍ଷକ ଉପସ୍ଥିତ ନ ଥିବାବେଳେ ଅନ୍ୟ ଶିକ୍ଷକ ଉପସ୍ଥାନ ଖାତାରେ ତାଙ୍କର ଦସ୍ତଖତ କରୁଥିଲେ। ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ନିର୍ଯାତନା ଦିଆଯାଉଛି। ସ୍କୁଲର ଅନ୍ୟ ଶିକ୍ଷୟିତ୍ରୀଙ୍କ ସହ ମିଳାମିଶା ନ କରିବା ତଥା ସେମାନଙ୍କ ସହ କଥା ନ ହେବାକୁ ମଧ୍ୟ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ସହକାରୀ ଶିକ୍ଷକମାନେ ତାଙ୍କୁ ତାଗିଦ କରିଛନ୍ତି। ଏପରିକି ଜାତିଗତ ଆକ୍ଷେପ କରିବା ସହ ଟିକିରି ଇତିଶ୍ରୀ ଘଟଣା ଭଳି ତାଙ୍କ ଅବସ୍ଥା କରିଦେବାକୁ ସମ୍ପୃକ୍ତ ୩ ଜଣ ଶିକ୍ଷକ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି। ତେବେ ଏନେଇ ସମ୍ପୃକ୍ତ ୩ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଏପରି ଶାରୀରିକ ଓ ମାନସିକ ଚାପରେ ସେ ଅତିଷ୍ଠ ହୋଇ ଥାନାରେ ଦ୍ୱାରସ୍ଥ ହୋଇଥିବା କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

















