ବାଲିଗୁଡା,୨୪/୮(ଏଜେନସି) : ୨୦୦୮ ମସିହା ଠିକ ଆଜିର ଦିନ ଅର୍ଥାତ ଅଗଷ୍ଟ ମାସ ୨୩ ତାରିଖରେ ହିଁ ପଡିଥିଲା ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀ ପୂଜା ଚାଲିଥିବା ବେଳେ କିଛି ଦୁର୍ବୁତ୍ତ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଆଶ୍ରମ ପରିସରରେ ପଶି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ସମେତ ତାଙ୍କର ଅନ୍ୟ ୪ ଜଣସହଯୋଗୀଙ୍କୁ ଗୁଳିକରି ହତ୍ୟା କରିଥିଲେ । ଉକ୍ତ ଘଟଣାର ଠିକ ୧୧ ବର୍ଷ ପରେ ପୁଣି ସେହି ଅଗଷ୍ଟ ମାସ ୨୩ ତାରିଖ ଦିନ ହିଁ ପୁଣି ଜନ୍ମାଷ୍ଟମୀ ପୂଜା ଆସିଛି । ତେଣୁ ଆଜି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଲେଶପଟ୍ଟା ଠାରେ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମ ପରିସରରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୧ତମ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଆଜି ସକାଳୁ ସକାଳୁ ଆଶ୍ରମର ଅନ୍ତେବାସୀ ମାନଙ୍କ ସହ ସ୍ଥାନୀୟ ଜନସାଧାରଣ, ଆଶ୍ରମ କର୍ମକର୍ତ୍ତା, ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତା ମାନେ ନିତ୍ୟକର୍ମ ସାରି ଜଳେଶ୍ବର ମନ୍ଦିରରେ ପହଞ୍ଚିଥିଲେ । ଜଳେଶ୍ବର ମନ୍ଦିର ନିକଟରେ ବୋହି ଯାଇଥିବା ରାଉଳନଦୀରୁ କଳସିରେ ଜଳ ଆଣି ଶାନ୍ତି ଶୋଭାଯାତ୍ରାରେ ନଗର ପରିକ୍ରମା କରି ହନୁମାନ ମନ୍ଦିର ନିକଟରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ପୁଣି ଯଜ୍ଞ ମଣ୍ଡପ ନିକଟରେ ଝୋଟି ଚିତା ପକାଇବା ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞ ମଣ୍ଡପରେ ସଂକୀର୍ତ୍ତନ ମଣ୍ଡଳୀ ଦ୍ଵାରା ନାମ ସଂକୀର୍ତ୍ତନ ଆରମ୍ଭ ହୋଇଥିଲା । ଅପର ପଟରେ ସଭା ଗୃହରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୧ତମ ଶ୍ରଦ୍ଧାଞ୍ଜଳି ସଭା ଆରମ୍ଭ ହୋଇଥିଲା । ସ୍ୱାମୀଜୀଙ୍କ ଶ୍ରଦ୍ଧାଳୁ ମାନେ ଏହି ସଭାରେ ଯୋଗ ଦେଇଥିଲେ । ଉକ୍ତ ସଭାରେ ଗୀତା ପାଠ କରାଯିବା ସହ ସ୍ୱାମୀଜୀଙ୍କ ସ୍ମୁତି ଚାରଣ କରାଯାଇଥିଲା । ଉକ୍ତ ସଭାରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ ପୁରୀ, ପ୍ରଭାକର ଦାସ ମହାରାଜ, ସୁନୀଲ ଦା ଗୋସ୍ୱାମୀ, ଅଜିତ ବାରିକ, ଲୋକନାଥ ପାତ୍ର, ହୀରାଲାଲ ପ୍ରଧାନ, କାଳିନ୍ଦୀ ଚରଣ ପଣ୍ଡା, ପ୍ରକାଶ ଚନ୍ଦ୍ର ସାହୁ, ନେତ୍ର ମାନସେଠ, ଡମ୍ବୁରୁ ଧର ମେହେର, ତ୍ରିଲୋଚନ ଆଚାର୍ଯ୍ୟ, ମାଗୁଣି ଗାଈଗଉରିଆ, ଗଙ୍ଗାଧର ସାହୁ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, ସ୍ବର୍ଣ୍ଣଲତା ପାଣିଗ୍ରାହୀ, ବିଦ୍ୟାଳୟ ର ଗୁରୁମା ରାଜଲକ୍ଷ୍ମୀ ନାୟକ, ପୁରୁଷୋତ୍ତମ ଲେଙ୍କା, ଅନ୍ୟାନ୍ୟ ଗ୍ରାମବାସୀ ତଥା ସ୍ୱାମୀଜୀଙ୍କ ଅନୁଗାମୀ ମାନେ ଉପସ୍ଥିତ ରହି ସ୍ୱାମୀଜୀଙ୍କ ସ୍ମୁତି ଚାରଣ କରିଥିଲେ । ଗୋ ହତ୍ୟା ବନ୍ଦ କରିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କହିଥିଲେ ଆଶ୍ରମର ମୁଖ୍ୟ ପରିଚାଳକ ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ ପୁରୀ । ପରେ ଯଜ୍ଞ ମଣ୍ଡପରେ ସବୁ ସାଧୁ ସନ୍ଥ, ଉପସ୍ଥିତ ଗ୍ରାମବାସୀ, ଆଶ୍ରମର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପୂର୍ଣ୍ଣାହୁତି କରିଥିଲେ । ପୂର୍ଣ୍ଣାହୁତି ପରେ ଆଶ୍ରମ ପରିସରରେ ଅର୍ଣ୍ଣଯଜ୍ଞର ବ୍ୟବସ୍ଥା କରାଯାଇଥିଲା । ସ୍ୱାମୀଜୀଙ୍କ ହତ୍ୟା ଘଟଣାର ଦୀର୍ଘ ୧୧ ବର୍ଷ ପରେ ବି ସରକାର ସ୍ୱାମୀଜୀଙ୍କ ହତ୍ୟାକାରୀଙ୍କୁ ଚିହ୍ନଟ କରି ପାରିନଥିବା କହିଛନ୍ତି ସ୍ୱାମୀ ଜୀବନ ମୁକ୍ତାନନ୍ଦ ଜୀ ପୁରୀ । ପରେ ସନ୍ଧ୍ୟାରେ ଆଶ୍ରମ ପରିସରରେ ଜନ୍ମାଷ୍ଟମୀ ପୂଜା ଆରମ୍ଭ ହୋଇଥିଲା । ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ତୁମୁଡିବନ୍ଧ ଥାନା ଅଞ୍ଚଳରେ ୨ଜଣ DSP ରମେଶ ଚନ୍ଦ୍ର ଶତପଥୀ ଓ ସନ୍ତୋଷ କୁମାର ଦଣ୍ଡସେନାଙ୍କୁ ନିୟୋଜିତ କରାଯାଇଥିଲା । ତୁମୁଡିବନ୍ଧ ଥାନା ଅଞ୍ଚଳର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନେତୃତ୍ୱରେ ବ୍ଲକିଙ୍ଗ, ଚେକିଂ ଚାଲୁ ରହିଥିଲା । ASI ଯୁଗଳ କିଶୋର ନାୟକ, ଭକ୍ତ ଚରଣ ମୁଖୀ, J.K ସେଠ, C.R ନାୟକଙ୍କ ସମେତ କନଷ୍ଟେବଳ ଓ ହୋମଗାର୍ଡ ମାନେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ।

















