ବ୍ରହ୍ମପୁର,୨୩/୮(ରାଜେଶ ରଣା ) : ବ୍ରହ୍ମପୁରରେ ଅଭାବନୀୟ ଦୃଶ୍ୟ । ମେଡିକାଲଠାରୁ ମାତ୍ର ଅଧ କିଲୋମିଟର ଦୂରରେ ରାସ୍ତା ଉପରେ ପ୍ରସବ କରିଛନ୍ତି ମହିଳା । ମିଳିଥିବା ସୂଚନା ଅନୁସାରେ, ଏକୁଟିଆ ଥିବା ମହିଳା ଜଣଙ୍କ ଆସି କୋର୍ଟପେଟା ମନ୍ଦିର ନିକଟରେ ଠିଆ ହୋଇଥିଲେ । ହଠାତ ପ୍ରସବ ବେଦନା ଆରମ୍ଭ ହୋଇଯିବା ପରେ ପାଖରେ ଥିବା ମହିଳାମାନେ ଲୁଗା ଘେରାଇ ରାସ୍ତା ଉପରେ ତାଙ୍କର ପ୍ରସବ କରାଇଥିଲେ। ପରେ ଆମ୍ବୁଲାନ୍ସ ଆସିଥିଲା ଓ ମହିଳାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ମହିଳା ଜଣକ ଗଂଜାମ ଜିଲ୍ଲା ପାତ୍ରପୁର ଅଂଚଳର ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଆମ୍ବୁଲାନ୍ସ ପହଂଚି ଉଭୟଙ୍କୁ ଏମକେସିଜି ମେଡିକାଲକୁ ନେଇଥିଲା । ବର୍ତ୍ତମାନ ଉଭୟ ମା ଓ ଝିଅ ସୁସ୍ଥ ଥିବାର ଜଣାପଡିଛି । ପୂର୍ବରୁ କିଛି ଜିଲ୍ଲାରେ ଜନନୀ ଯନ୍ତ୍ରଣାର ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିବାବେଳେ ସିଲକ୍ ସିଟିରେ ମଧ୍ୟ ଏଭଳି ଦୃଶ୍ୟ ପ୍ରଥମ ଥର ଦେଖିବାକୁ ମିଳିଛି। କେତେବେଳେ ଆମ୍ବୁଲାନ୍ସ ନ ଆସିବା ଯୋଗୁଁ ବା କେତେବେଳେ ଗାଁ କୁ ରାସ୍ତା ନଥିବାରୁ ଭାର ରେ ବୋହି ପ୍ରସୂତିଙ୍କୁ ମେଡିକାଲ ଅଣାଯାଇଛି । କିନ୍ତୁ ବ୍ରହ୍ମପୁର ସହରରେ ମଧ୍ୟ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ।
















