ପୁଣି ଜଣେ ଦାଦନଙ୍କ ଦୁବାଇରେ ମୃତ୍ୟୁ

284
ADVERTISEMENT

ଖଲ୍ଲି‌କୋଟ,୧୯/୮(ଏଜେନସି) : ଦୁବାଇରେ ପୁଣି ଜଣେ ଦାଦନଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ, ଖଲ୍ଲିକୋଟ ବ୍ଲକ ତେନ୍ତୁଳିଆ ପଲ୍ଲୀ ନିକଟସ୍ଥ କଇଠଡ଼ା ଗ୍ରାମର ଜୟ ଦଳେଇ (୪୫)। ଅପରପକ୍ଷେ, ସେଠାରେ ଫସି ରହିଥିବା ୧୨ ଜଣ ଶ୍ରମିକ ଏପର୍ଯ୍ୟନ୍ତ ମୁକୁଳି ନଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଜୟ ଦୁବାଇସ୍ଥିତ ଏଏସ୍‌ଜି ନାମକ ଏକ କନଷ୍ଟ୍ରକ୍ସନ କମ୍ପାନିରେ ମିସ୍ତ୍ରୀ ଭାବେ କାମ କରୁଥିଲେ। ୮ରୁ ୯ବର୍ଷ ଧରି ସେ ସେଠାରେ କାର୍ଯ୍ୟ କରୁଥିଲେ। ଗତ ୧୬ତାରିଖ ଅପରାହ୍ନ ୩ଟାରେ ହଠାତ୍‌ ତାଙ୍କର ବାନ୍ତି ହୋଇଥିଲା। ସେଠାରେ ହିଁ ସେ ଅଚେତ ହୋଇ ପଡ଼ିଯିବାରୁ ପାଖରେ ରହୁଥିବା ସାଙ୍ଗମାନେ ଏନେଇ କମ୍ପାନି କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ। ପୁଲିସ୍‌ ସହାୟତାରେ ତାଙ୍କୁ ସଂଗେସଂଗେ ଏକ ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁଃଖଦ ଖବର ଶୁଣିବା ପରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି। ଜୟଙ୍କ ମରଶରୀରକୁ ଆଣିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ତାଙ୍କର ଦୁଇ ଝିଅ ବିବାହ କରିସାରିଥିବାବେଳେ ପୁଅ ଦୁଇ ଜଣ ଅବିବାହିତ।ସୂଚନାଥାଉକି, ଏହା ପୂର୍ବରୁ ଗତ ୨ ତାରିଖରେ ଆବୁଧାବିରେ କାର୍ଯ୍ୟରତ ଖଲ୍ଲିକୋଟ ବ୍ଲକ ପଥରା ଗ୍ରାମର ବସନ୍ତ କୁମାର ସାଧବ (୪୨)ଙ୍କ ମୃତ୍ୟୁ ଘଟିଥିଲା। ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ତାଙ୍କ ଶବ ଗତ ୧୨ତାରିଖରେ ଗାଁକୁ ଆସିଥିଲା। ଅନ୍ୟପକ୍ଷ‌ରେ, ଜୁଲାଇ ମାସରୁ ଫସି ରହିଥିବା ୧୨ ଜଣ ଶ୍ରମିକଙ୍କୁ ମୁକୁଳାଇବାକୁ ପରିବାରବର୍ଗ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ।

Advertisement