Thursday, September 24, 2026
ADVERTISEMENT
Home ଆଞ୍ଚଳିକ ସ୍ୟାଟ ଉଚ୍ଛେଦକୁ ଗଞ୍ଜାମ ଓକିଲ ସଂଘର ବିରୋଧ: କାର୍ଯ୍ୟରୁ ନିବୃତ୍ତ ରହିଲେ ଆଇନଜୀବୀ

ସ୍ୟାଟ ଉଚ୍ଛେଦକୁ ଗଞ୍ଜାମ ଓକିଲ ସଂଘର ବିରୋଧ: କାର୍ଯ୍ୟରୁ ନିବୃତ୍ତ ରହିଲେ ଆଇନଜୀବୀ

304
ADVERTISEMENT

ବ୍ରହ୍ମପୁର, ୧୦/୮(ଏଜେନସି ) : ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ) ଉଚ୍ଛେଦ ପ୍ରତିବାଦରେ ଶୁକ୍ରବାର ଗଞ୍ଜାମ ଓକିଲ ସଂଘ ପକ୍ଷରୁ ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିଛନ୍ତି। ଏ ନେଇ ଗଞ୍ଜାମ ଓକିଲ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି ରବୀନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ୟାଟ ଉଚ୍ଛେଦ ପରେ ଓଡ଼ିଶା ହାଇକୋର୍ଟରେ ପଡି ରହିଥିବା ୭୬ ହଜାର ମାମଲା ଯିବ କୁଆଡେ ବୋଲି ବୈଠକରେ ଆଲୋଚନା ହୋଇଥିଲା। ସରକାରୀ କର୍ମଚାରୀମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ସରକାର ସ୍ୟାଟର ବ୍ୟବସ୍ଥା କରିଥିବା ବେଳେ ଏବେ ତାହାକୁ ଉଚ୍ଛେଦ କରୁଛନ୍ତି । ସମସ୍ତ ମାମଲା ହାଇକୋର୍ଟରେ ବିଚାର ହେବ। ହାଇକୋର୍ଟରେ ନ୍ୟାୟ ନ ମିଳିଲେ ସେହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଯଦି କୌଣସି ଲୋକ ସୁପ୍ରିମକୋର୍ଟ ଯିବାକୁ ଚାହାନ୍ତି ତେବେ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ଏଣୁ ଏହାକୁ ଉଚ୍ଛେଦ କରା ନ ଯାଉ ବୋଲି ଦାବି ହେଉଛି । ଏହା ବ୍ୟତୀତ ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି। ପୂର୍ବରୁ ହାଇକୋର୍ଟ ବାର ଆସୋସିଏଶନ ପକ୍ଷରୁ ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଅଗଷ୍ଟ ୯ ତାରିଖରେ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ନ ଦେବାକୁ ନିଷ୍ପତ୍ତି ହୋଇଥିଲା। ପ୍ରକାଶ ଯେ, ଗତ ବୁଧବାର ସ୍ୟାଟ ଉଚ୍ଛେଦ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିକୁ ଚାଲେଞ୍ଜ କରି ରୁଜୁ ହୋଇଥିବା ମାମଲାର ମୁଖ୍ୟ ବିଚାରପତି କେ.ଏସ.ଜାଭେରୀ ଓ ବିଚାରପତି କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୫କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏହି ମାମଲାର ଜବାବ ରଖିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ସଂଘର ଉପସଭାପତି ଚିତ୍ତରଞ୍ଜନ ଶତପଥୀ, ସମ୍ପାଦକ କୈଳାସ ପାଣିଗ୍ରାହୀ, ସହ ସମ୍ପାଦକ କିରଣ କୁମାର ମଣ୍ଡଳଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

Advertisement