Tuesday, September 8, 2026
ADVERTISEMENT
Home Uncategorized ସୁରତରେ ଦୂଷିତ ପାଣି ପିଇ ୬ ମୃତ, ୫୦ ଚିକିତ୍ସାଧୀନ

ସୁରତରେ ଦୂଷିତ ପାଣି ପିଇ ୬ ମୃତ, ୫୦ ଚିକିତ୍ସାଧୀନ

179
ADVERTISEMENT

ସୁରତ,୩/୦୬(ଡ଼ି.ଏଚ/ବ୍ୟୁରୋ): ସୁରତ ସହର ଅନ୍ତର୍ଗତ କାଠୋର ଗାଁରେ ଦୂଷିତ ପାଣି ପିଇ ୬ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଏବଂ ଆହୁରି ୫୦ଜଣରୁ ଊର୍ଦ୍ଧ୍ବ ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କଥା ଅଭିଯୋଗ ହୋଇଛି । ମେ ୩୦ ଓ ୩୧ ତାରିଖ ଦିନ ଉପରୋକ୍ତ ଘଟଣା ଘଟିଥିବା କୁହାଯାଉଛି। ପରେ ସୁରତ ମହାନଗର ନିଗମର ସ୍ବାସ୍ଥ୍ୟ ଅଧିକାରୀମାନେ ବିବେକ ନଗର କଲୋନିରେ ପହଞ୍ଚି ଗ୍ରାମବାସୀମାନଙ୍କୁ ‘କ୍ଲୋରିନ୍‌’ ବାଣ୍ଟିଥିଲେ । ଦୂଷିତ ପାଣି ପିଇବା ହେତୁ ଗ୍ରାମବାସୀମାନଙ୍କ ଠାରେ ଝାଡ଼ା-ବାନ୍ତି ଲକ୍ଷଣ ପ୍ରକାଶ ପାଇଥିଲା। ଅସୁସ୍ଥ ବ୍ୟକ୍ତିମାନେ ନିକଟବର୍ତ୍ତୀ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ସ୍ଥାନୀୟ ନେତା ଦର୍ଶନ ନାୟକ ଅଭିଯୋଗ କରିଛନ୍ତି ଯେ, ସୁରତ ‌ମହାନଗର ନିଗମ ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେଉନାହିଁ। ସେ ମଧ୍ୟ ମୃତ ବ୍ୟକ୍ତିମାନଙ୍କ ପରିବାରବର୍ଗଙ୍କ ନିମନ୍ତେ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି । ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ଦୂଷିତ ପାଣି ପିଇିବା ପରେ ଗ୍ରାମବାସୀମାନେ ଅସୁସ୍ଥ ହୋଇପଡ଼ିଥିଲେ। ପାନୀୟ ଜଳ ଆସୁଥିବା ପାଇପ୍‌ରେ ଠାଏ କଣା ହୋଇଯାଇଥିବାରୁ ସେଥିରେ ନର୍ଦ୍ଦମା ପାଣି ମିଶୁଥିଲା । ବୁଧବାର ଦିନ ସୁରତ ମେୟର୍‌ ହେମାଲି ବଘାୱାଲା ପରିସ୍ଥିତି ସମୀକ୍ଷା କରିବା ସହ ମୃତବ୍ୟକ୍ତିଙ୍କ ପରିଜନଙ୍କ ପାଇଁ ୧ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ସେ କହିଛନ୍ତି କି, କଲୋନିକୁ ଜଳଯୋଗାଣ ଆରମ୍ଭ ହେବା ପର୍ଯ୍ୟନ୍ତ ‘ପାଣି ଟ୍ୟାଙ୍କର୍‌’ ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ପାଇପ୍‌ଲାଇନ ଜରିଆରେ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ଜଳ ପରୀକ୍ଷା ନିମନ୍ତେ ପାଣି ପରୀକ୍ଷା ଭ୍ୟାନ୍‌ ମଧ୍ୟ ପଠାଯାଉଛି । ସୂଚନାଯୋଗ୍ୟ ଅଳ୍ପ କିଛି ଦିନ ହେବ କାଠୋର ଗାଁକୁ ସୁରତ ନଗରାଞ୍ଚଳରେ ଅନ୍ତର୍ଭୁକ୍ତ କରାଯାଇଛି।

Advertisement