ଭୁବନେଶ୍ୱର ,୦୮/୦୮(ଏଜେନସି ) : ଓଡ଼ିଶା ରାଜନୀତିର ଜଣେ ଆଗଧାଡ଼ିର ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ଓରଫ ଲୁଲୁ ମହାପାତ୍ରଙ୍କ କନ୍ୟା ଢ଼େର ଦିନରୁ ଚର୍ଚ୍ଚାରେ ରହି ଆସିଛନ୍ତି । ସେ ହେବେ ଲୁଲୁଙ୍କ ରାଜନୈତିକ ଉତ୍ତରାଧିକାରୀ, ଏହି ଚର୍ଚ୍ଚା ତାଙ୍କୁ ଆଣିଥିଲା ଲୋକଲୋଚନକୁ । ବାପାଙ୍କ ବିୟୋଗ ପରେ ଏହା ସ୍ପଷ୍ଟ ହେଲା। ସକ୍ରିୟ ରାଜନୀତିକୁ ଓହ୍ଲାଇଲେ ଉପାସନା। କିନ୍ତୁ ନିର୍ବାଚନୀ ମଇଦାନରେ ସେ ଅବତୀର୍ଣ୍ଣ ହୋଇ ନଥିଲେ, କାରଣ ପ୍ରାର୍ଥୀତ୍ବ ଲାଗି ବୟସ ହୋଇ ନଥିଲା । ଏବେ ସେ ବ୍ରହ୍ମଗିରି ସହ ବିଜେପି ରାଜନୀତିର ଜଣେ ଉଦୀୟମାନ ଚେହେରା । ବାପା ଲୁଲୁ ମହାପାତ୍ରଙ୍କ ଚିନ୍ତାଧାରାକୁ ସମ୍ମାନ ଦେଇ ତାଙ୍କ ରାସ୍ତାରେ ଚାଲୁଥିବା ଝିଅ ଉପାସନା । ରାଜନୀତିକୁ ପସନ୍ଦ କରିବା ସହ ନିଜ ବାପାଙ୍କୁ ଭଲ ପାଉଥିବା ସମର୍ଥକଙ୍କୁ ନିଜର ଭାବି ବଞ୍ଚୁଥିବା ଉପାସନାଙ୍କର ପାଟମୁଦି କାର୍ଯ୍ୟକ୍ରମ ସରିଛି । ଓଡ଼ିଆ ରାଜପୁତମାନଙ୍କର ନିର୍ବନ୍ଧକୁ ପାଟମୁଦି କୁହାଯାଉଥିବା ବେଳେ ଏହି ଅନୁଷ୍ଠାନରେ ଉଭୟ ବର ଓ କନ୍ୟା ପରସ୍ପରକୁ ମୁଦି ପିନ୍ଧାଇ ବିବାହ ପର୍ବର ଆରମ୍ଭ କରିଥାନ୍ତି। ଏବେ ସେ ପ୍ରସ୍ତୁତ ହେଉଛନ୍ତି ନୂଆ ଜୀବନ ଆରମ୍ଭ କରିବାକୁ । ଜୀବନସାଥୀ କିଭଳି ପ୍ରଶ୍ନର ଉତ୍ତରରେ ଉପାସନା କହନ୍ତି, ସ୍ୱାମୀ ଓ ଶାଶୁଘରକୁ ନେଇ ସେ ବେଶ ଉତ୍ସାହିତ । ଶାଶୁଘର ଅନୁଗୁଳ ଓ ବାପଘର ବ୍ରହ୍ମଗିରି ମଧ୍ୟରେ ନୂଆ ସମ୍ପର୍କ ତଥା ସଂସ୍କୃତିର ଆଦାନପ୍ରଦାନ ପାଇଁ ସେ ଆଶାବାଦୀ ଅଛନ୍ତି । ଉପାସନା କହିଛନ୍ତି ବିବାହ ପରେ ପୂରା ଦମରେ ରାଜନୀତିକୁ ଆସିବେ । ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ଏ ଦିଗରେ ପାଦରେ ପାଦ ମିଳାଇ ତାଙ୍କୁ ସହଯୋଗ କରିବେ ବୋଲି ଉପାସନା କହିଛନ୍ତି । ୨୦୧୯ ନିର୍ବାଚନରେ ନିଜ ଦାଦା ଲଳିତେନ୍ଦୁ ମହାପାତ୍ରଙ୍କ ପାଇଁ ସେ ପ୍ରଚାରରେ ଭାଗ ନେଇଥିଲେ । ଘରକୁ ଘର ବୁଲି ନିଜ ଦାଦାଙ୍କ ପାଇଁ ସମର୍ଥନ ମାଗିଥିଲେ ।