ଶିକ୍ଷକ ଅଭାବରୁ ବିଦ୍ୟାଳୟରେ କମ୍ପୁ୍ୟଟର ଶିକ୍ଷା ବନ୍ଦ, ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ

232
ADVERTISEMENT

ହିଂଜିଳିକାଟୁ, ୬ା୮ (ଶେଷଦେବ ସାହୁ): ଶିକ୍ଷା ଅଧିକାର ଆଇନ ଲାଗୁ ହେବା ପରେ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷା ପଦ୍ଧତି ନେଇ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି । ସର୍ବଶିକ୍ଷା ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ଭିତିଭୂମି ନିର୍ମାଣ କରାଯାଉଛି । ସେହିପରି ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ରାଷ୍ଟ୍ରୀୟ ମାଧ୍ୟାମିକ ଶିକ୍ଷା (ରାମସା) ଅଭିଯାନ ମାଧ୍ୟମରେ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ବିକାଶ ଯୋଜନାକୁ ସରକାର ହାତକୁ ନେଇଛନ୍ତି । ଆଧୁନିକ୍ ଯୁଗରେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ କରୁଥିବା ୮ମ ଠାରୁ ୧୦ମ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ପାଇଁ ଗତ ୨୦୧୪ ମାର୍ଚ୍ଚ ମାସରେ ସରକାର କମ୍ପ୍ୟୁଟର ଶିକ୍ଷା ପ୍ରଚଳନ କରିଥିଲେ । ଏଥି ସକାଶେ ଶିକ୍ଷା ବଜେଟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପ୍ରତ୍ୟେକ ସରକାରୀ ଉଚ୍ଚ ବିଦ୍ୟଳୟରେ କମ୍ପ୍ୟୁଟର ଲ୍ୟାବ୍ (ସ୍ୱତନ୍ତ୍ର କୋଠରୀ) ନିର୍ମାଣ ସହିତ ବିଦ୍ୟୁତିକରଣ ଓ କମ୍ପ୍ୟୁଟର ସାମଗ୍ରୀ ଯୋଗାଇ ଦିଆଯାଇଥିଲା । ଶିକ୍ଷାର୍ଥୀ ମାନେ ମାଗଣାରେ ବାହାରେ କମ୍ପ୍ୟୁଟର ଶିଖିବାର ସୁଯୋଗ ପାଉନଥିଲା ବେଳେ ବିଦ୍ୟାଳୟ ପାଠ୍ୟକ୍ରମରେ କମ୍ପ୍ୟୁଟର ଶିକ୍ଷା ପାଇବା ଯୋଗୁଁ ସେମାନଙ୍କ ମନରେ ଆଗ୍ରହ ସୃଷ୍ଟି ହୋଇପାରିଥିଲା । ଏହି ଯୋଜନାରେ ହିଂଜିଳିକାଟୁ ବ୍ଳକ ଓ ପୌରାଂଚଳର ୧୪ ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷା ଆରମ୍ଭ କରାଯାଇଥିଲା । ମାତ୍ର ଏବେ ସବୁ ବିଦ୍ୟାଳୟରୁ କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଛଟେଇ କରିଦେବାରୁ ବିଦ୍ୟାଳୟ ଗୁଡ଼ିକରେ କମ୍ପୁ୍ୟଟର ଶିକ୍ଷା ସମ୍ପୂଣ୍ଣ ବନ୍ଦ ହୋଇଯାଇଛି । କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ନଥିବାରୁ ହିଂଜିଳିକାଟୁ ବ୍ଳକ ଓ ପୌରାଂଚଳର ୧୪ ଟି ସରକାରୀ ଉଚ୍ଚ ବିଦ୍ୟାଳୟରେ କମ୍ପ୍ୟୁଟର ଲ୍ୟାବ୍ ରେ ତାଲା ପଡ଼ିଥିବାର ଦେଖିବାକୁ ମିଳିଛି । ଫଳରେ ବିଦ୍ୟାଳୟ ଗୁଡ଼ିକରେ କମ୍ପ୍ୟୁଟର ଥାଇ ବି ଶିକ୍ଷାର୍ଥୀ ମାନେ କମ୍ପ୍ୟୁଟର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଏଥି ସହ କମ୍ପ୍ୟୁଟର ଶିକ୍ଷା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା କମ୍ପ୍ୟୁଟର, ଜେନେରେଟର, ପ୍ରୋଜେକ୍ଟର, ପ୍ରିଂଟର ଆଦି ଲ୍ୟାବ୍ ରେ ଖତ ଖାଉଛି । ବିଦ୍ୟାଳୟ ଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ପାଇଁ ସପ୍ତାହକୁ ୩ ଦିନ ପ୍ରାକ୍ଟିକାଲ ଓ ୩ ଦିନ ଥିଓରି କ୍ଳାସ ହେଉଥିଲା । ସେହିପରି ୬ ମାସରେ ଥରେ ଶିକ୍ଷାର୍ଥୀଙ୍କ ମଧ୍ୟରେ କମ୍ପ୍ୟୁଟର ଞାନ କୌଶଳ ପରୀକ୍ଷା ମଧ୍ୟ ହେଉଥିଲା । ମାତ୍ର ଉକ୍ତ କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ଶିକ୍ଷାବର୍ଷ ୨୦୧୮-୧୯ ଶେଷ ସମୟରେ ଅର୍ଥାତ ୨୦୧୯ ମାର୍ଚ୍ଚ ମାସ ଶେଷରେ ଛଟେଇ କରାଯାଇଥିଲା । ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ ବିଦ୍ୟାଳୟ ପୁନଃ ଖୋଲିବା ପରେ ବିଦ୍ୟାଳୟ ଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉନଥିବା ଯୋଗୁଁ ଛାତ୍ର ଛାତ୍ରୀଙ୍କମଧ୍ୟରେ ଅସନ୍ତୋଷ ଭାବ ପ୍ରକାଶ ପାଇଛି । ସୂଚନା ମୁତାବକ ସରକାର ସର୍ଭିସ ପ୍ରୋଭାଇଡ଼ର ମାଧ୍ୟମରେ କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତି କରିଥିଲେ । ମାତ୍ର ଉକ୍ତ କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ୫ ବର୍ଷର ଚୁକ୍ତି ଭିତିକ ନିଯୁକ୍ତି ଥିବାରୁ ତାଙ୍କୁ ୨୦୧୯ ଏପ୍ରିଲରେ ଛଟେଇ କରି ଦିଆଯାଇଥିଲା । ଫଳରେ ଗ୍ରୀଷ୍ମଛୁଟି ପରେ କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ଚୁକ୍ତିର ନବୀକରଣ କରାଯିବା କିମ୍ବା ତାଙ୍କ ସ୍ଥାନରେ ଅନ୍ୟ ନିଯୁକ୍ତି ଦିଆଯାଇନଥିବା ଯୋଗୁଁ ବିଦ୍ୟାଳୟ ଗୁଡ଼ିକରେ ଲକ୍ଷ ଲକ୍ଷ ଟଙ୍କାର କମ୍ପ୍ୟୁଟର ଏବଂ ସାମଗ୍ରୀ ଖତ ଖାଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଛଟେଇ ହୋଇଥିବା କମ୍ପ୍ୟୁଟର ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଭାଗ୍ୟ କଣ ? କୋଟି କୋଟି ଟଙ୍କା ଖର୍ଚ୍ଚ କରି କିଣାଯାଇଥିବା କମ୍ପ୍ୟୁଟର ଓ ସାମଗ୍ରୀ ସତରେ କଣ ଖତ ହେବ ? ଏ ନେଇ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ. ସନାତନ ପଣ୍ଡାଙ୍କ ସହ ଯୋଗଯୋଗ କରାଯାଇଥିଲେ ମଧ୍ୟ ସମ୍ଭବପର ହୋଇ ପାରିନାହିଁ । ଏ ଦିଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ଓ ସଚିବ ଧାନ ଦେଇ ବିଦ୍ୟାଳୟ ଗୁଡ଼ିକରେ କମ୍ପୁଟର ଶିକ୍ଷକ, ଶିକ୍ଷୟତ୍ରୀ ପଦବୀ ପୁରଣ କରିବାକୁ ଅଭିଭାବକ ମାନେ ଦାବି କରିଛନ୍ତି ।

Advertisement