ଓଡିଶାର ୨ୟ ପୁରାତନ ୧୩୪ ବର୍ଷର ପାରଳା ପୌରପାଳିକା ଅଟ୍ଟାଳିକାକୁ ନ ଭାଙ୍ଗି ସଂଗ୍ରହାଳୟ କରାଯାଉ ।

304
ADVERTISEMENT

ପାରଳାଖେମୁଣ୍ଡି,୬/୮ଏଜେନସି : ପାରଳାଖେମୁଣ୍ଡି ପୌରପାଳିକା ଓଡିଶାର ୨ୟ ପୁରାତନ ଅଟେ । ୧୩୪ ବର୍ଷର ଏହି ପୁରାତନ ଐତିହାସିକ ଅଟ୍ଟାଳିକାକୁ ବର୍ତ୍ତମାନ ଭଙ୍ଗା ଯାଉଛି । ଏହାକୁ ପାରଳା ସହରର ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକମାନେ ବିରୋଧ କରିଛନ୍ତି । ଏହାକୁ ବଞ୍ଚାଇବା ଉଦ୍ୟମ ଆରମ୍ଭ କରି ଅଟ୍ଟାଳିକାକୁ ନ ଭାଙ୍ଗି ଆବଶ୍ୟକ ମରାମତି କରି ପୁରାତନ କୋଠାକୁ ଜୀବିତ ରଖି ଏଠାରେ ସଂଗ୍ରହାଳୟ ପ୍ରତିଷ୍ଟା କରାଯାଉ ବୋଲି ସମସ୍ତଙ୍କର ଦାବି କରିଛନ୍ତି । ଏହି ଘଟଣାରୁ ପ୍ରକାଶ ଓଡିଶାର ୨ୟ ପୁରାତନ ପାରଳାଖେମୁଣ୍ଡି ପୌରପାଳିକାର ଅଟ୍ଟାଳିକା ୧୮୮୫ ମସିହାରେ ନିର୍ମିତ ହୋଇଛି । ୧୩୪ ବର୍ଷର ପୁରାତନ ଏହି ଐତିହାସିକ ଅଟ୍ଟାଳିକାଟି ବିପଦ ସଂକୁଳ ବୋଲି ଗଜପତି ପୁର୍ତ୍ତ ବିଭାଗ ଗତ କିଛି ବର୍ଷତଳେ ସୂଚନା ଦେଇଥିଲେ । ତେଣୁ ଏହି ପୁରାତନ ଅଟ୍ଟାଳିକା ପଛପଟେ ନୂତନ ଅଟ୍ଟାଳିକା ନିର୍ମାଣ କରାଗଲା । ବର୍ତ୍ତମାନ ଗତ ୨ମାସ ହେଲା ପୌରପାଳିକାର କାର୍ଯ୍ୟାଳୟ ପଛପଟର ନୂତନ କୋଠାକୁ ଚାଲିଯାଇଛି । ବିପଦ ସଂକୁଳ ବୋଲି ସୂଚନା ଥିବା ପୁରାତନ ଅଟ୍ଟାଳିକାକୁ ଭାଙ୍ଗିଦେବା ପାଇଁ ଗତ କିଛି ଦିନ ହେଲା ଭଙ୍ଗାକାର୍ଯ୍ୟ ଆରମ୍ଭ ହୋଇଛି । ପୁରାତନ ଅଟ୍ଟାଳିକା ଉପର ମହଲାର ଟିଣ ଗୁଡିକୁ ଖୋଲି ୧୩୪ ବର୍ଷର ଏହି ଐତିହାସିକ ପୁରାତନ ଅଟ୍ଟାଳିକାକୁ ଧରାଶୟୀ କାର୍ଯ୍ୟ ଚାଲିଛି । ଏହି ନିଷ୍ପତ୍ତି ଓ ଭାଙ୍ଗିବା କାର୍ଯୟକ୍ରମକୁ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ବିରୋଧ କରିଛନ୍ତି । ବରିଷ୍ଟ ସାମ୍ବାଦିକ ତଥା ସମାଜସେବି ନବିନା ନନ୍ଦ ଗନ୍ତାୟତ ଏହି ଅଟ୍ଟାଳିକା ବଞ୍ଚାଓ ଅଭିଯାନ ଆରମ୍ଭ କରିଥିଲେ । ସେ ପ୍ରଥମେ ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ,ପୁରାତନ ଅଟ୍ଟାଲିକା ବିପଦ ପୂର୍ଣ୍ଣ ବୋଲି ତାର ପଛପଟେ ନୂତନ ଅଟ୍ଟାଳିକା ନିର୍ମାଣ ହେଲା । ସେଠାରେ ବର୍ତ୍ତମାନ କାର୍ଯ୍ୟାଳୟ ଚାଲିଛି । ପୁରାତନ ଅଟ୍ଟାଳିକା ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ୧୩୪ ବର୍ଷର ଏଭଳି ପୁରାତନ ଐତିହାସିକ ଓ ସୁନ୍ଦର ଅଟ୍ଟାଲିକା ଭାଙ୍ଗି ଦେବା ଦ୍ୱାରା ପୁରାତନ ନିର୍ମାଣ ଶୌଳିର ଏହି ଅଟ୍ଟାଳିକା ସବୁଦିନ ପାଇଁ ଲୋପ ପାଇଯିବ । ବରଂ ଏହାକୁ ନ ଭାଙ୍ଗି ଆବଶ୍ୟକ ମରାମତି ଦ୍ୱାରା ସୁରକ୍ଷା କରାଯାଇ ଏଠାରେ ସଂଗ୍ରହାଳୟ ପ୍ରତିଷ୍ଟା କରାଯାଉ । ଯଦ୍ୱାରା ପୁରାତନ ସୌଧ ସବୁଦିନ ପାଇଁ ବଞ୍ଚି ରହିବ । ଏହାକୁ ପାରଳା ସହରର କେତେକ ବୁଦ୍ଧିଜୀବୀ ଓ ବରିଷ୍ଟ ନାଗରିକ ସମର୍ଥନ ଜଣାଇଛନ୍ତି ।ବରିଷ୍ଟ ନାଗରିକ ତଥା ବୁଦ୍ଧିଜୀବୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର,ବିଚିତ୍ରା ନନ୍ଦ ବେବର୍ତ୍ତା ପ୍ରମୁଖ ଏହି ପୁରାତନ ଅଟ୍ଟାଳିକାକୁ ନଭାଙ୍ଗି ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ଶ୍ରା ଗନ୍ତାୟତ ଏଥିନେଇ ଗଜପତି ଜିଲ୍ଲାପାଳ,ନଗର ଉନ୍ନୟନ ମନ୍ତ୍ରୀ ଓ ସଚିବଙ୍କୁ ଅନୁରୋଧ ପତ୍ର ପଠାଇଥିବା ମଧ୍ୟ କହିଛନ୍ତି । ବର୍ତ୍ତମାନ ପାଇଁ ଏହି ଭଙ୍ଗା କାର୍ଯୟକ୍ରମକୁ ସ୍ଥଗିତ ରଖିଥିବା ଜଣାଯାଇଛି ।

Advertisement