କଟକ ,୫/୮ଏଜେନସି : ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପଦ୍ମବନ ପୀଠରୁ ରବିବାର ଦୁର୍ବୃତ୍ତମାନେ ଜଣେ ଭକ୍ତଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ପ୍ରାୟ ୬ ଜଣ ଯୁବକ ପୀଠକୁ ଆସି ଭୁବନେଶ୍ୱର ଭୀମଟାଙ୍ଗି ଅଞ୍ଚଳର ଶୁଭେନ୍ଦୁ ଚନ୍ଦ୍ର ମହାପାତ୍ରଙ୍କୁ ଉଠାଇ ନେଇଛନ୍ତି। ଶୁଭେନ୍ଦୁ ଆଜି ନିଜ ସ୍ତ୍ରୀ ଲୋପାମୁଦ୍ରା ମହାପାତ୍ର, ଝିଅ ଓ ଝିଆରୀଙ୍କୁ ନେଇ ନେମାଳ ବୁଲିବାକୁ ଯାଇଥିଲେ। ସେ ପୀଠରେ ବୁଲୁଥିବା ବେଳେ ପ୍ରାୟ ୬ ଜଣ ଦୁର୍ବୃତ୍ତ ଏକ ସ୍କୋର୍ପିଓରେ ସେଠାକୁ ପହଂଚିଥିଲେ। ପ୍ରଥମେ ୨ ଜଣ ଦୁର୍ବୃତ୍ତ ପୀଠକୁ ପ୍ରବେଶ କରି ସେଠାକାର ସ୍ଥିତି ସଂପର୍କରେ ଅବଗତ ହୋଇଥିଲେ । ପରେ ଅଜଣା ଯୁବକମାନେ ଶୁଭେନ୍ଦୁଙ୍କୁ ଜୋରଜବରଦସ୍ତି ନେଇ କାର୍ରେ ବସାଇଥିଲେ ଓ ସେଠାରୁ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଦୁର୍ବୃତ୍ତମାନଙ୍କୁ ବିରୋଧ କରିଥିଲେ। ମାତ୍ର ଦୁର୍ବୃତ୍ତମାନେ ପୁଲିସର ପରିଚୟ ଦେବା ପରେ ଲୋକେ ଭୟଭୀତ ହୋଇ ସେଠାରୁ ପଳାୟନ କରିଥିଲେ । ଦୁର୍ବୃତ୍ତମାନେ ସ୍କୋର୍ପିଓରେ ବ୍ୟବହାର କରିଥିବା ଏକ ନକଲି ନମ୍ବର ପ୍ଲେଟ ଖସି ପଡ଼ିଥିଲା । କିଛି ଦୁର୍ବୃତ୍ତ ହିନ୍ଦୀରେ କଥାବାର୍ତ୍ତା ହେଉଥିଲେ। ଅପହରଣ ସଂପର୍କରେ ଲୋପାମୁଦ୍ରା କହିଛନ୍ତି ସେମାନଙ୍କର କାହାରି ସହିତ ଶତ୍ରୁତା ନଥିଲା । ମାତ୍ର କିଛି ବର୍ଷ ପୂର୍ବରୁ ଶୁଭେନ୍ଦୁ ଜମି ପ୍ଲଟ କିଣାବିକା ବ୍ୟବସାୟ କରୁଥିଲେ କିନ୍ତୁ ବର୍ତ୍ତମାନ ସେ ଏକ ଘରୋଇ କଂପାନିରେ କାମ କାର୍ଯ୍ୟରତ ଥିଲେ । ରବିବାର ଥିବାରୁ ସେ ଆଜି ନିଜ ପରିବାର ସହିତ ଏକ କାରରେ ନେମାଳ ପୀଠ ବୁଲିବାକୁ ଯାଇଥିଲେ। କାର ଭିତରେ ମୋବାଇଲ ଓ ଅନ୍ୟ ଜିନିଷ ଥିବା ବେଳେ ଏହାର ଚାବି ଶୁଭେନ୍ଦୁଙ୍କ ପାଖରେ ରହିଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଶୁଭେନ୍ଦୁଙ୍କର କୌଣସି ଖବର ମିଳି ନଥିବା ବେଳେ ତାଙ୍କୁ କାହିଁକି ଅପହରଣ କରାଯାଇଛି ପରିବାର ଲୋକେ କିଛି କହି ପାରୁ ନାହାନ୍ତି।