Friday, October 23, 2026
ADVERTISEMENT
Home ଆଞ୍ଚଳିକ ନଦୀପଠା, ଗ୍ରାମ୍ୟ ରାସ୍ତା କଡେ଼ ମାଳମାଳ ଇଟାଭାଟି ମାଲିକ ମାଲେମାଲ୍, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟ

ନଦୀପଠା, ଗ୍ରାମ୍ୟ ରାସ୍ତା କଡେ଼ ମାଳମାଳ ଇଟାଭାଟି ମାଲିକ ମାଲେମାଲ୍, ବିଭାଗୀୟ ଅଧିକାରୀ ନିରବଦ୍ରଷ୍ଟ

289
ADVERTISEMENT

ହିଂଜିଳିକାଟୁ,୨ା୮(ଶେଷଦେବ ସାହୁ): ହିଂଜିଳିକାଟୁ ତହସିଲ ଅଧିନ ବିଭିନ୍ନ ଗ୍ରାମାଞ୍ଚଳର ନଦୀପଠା ଠାରୁ ଆରମ୍ଭ କରି ରାସ୍ତାକଡ଼ରେ ଗଢି ଉଠିଛି ମାଳମାଳ ମାଟିପୋଡ଼ା ଇଟାଭାଟି । ତାହା ବି ପ୍ରଶାସନର ଗୋଚରରେ । ଅଦାଲତ, ସରକାର ଓ ପ୍ରଶାସନର ଅଙ୍କୁଶକୁ ବି ଖାତିର ନାହିଁ । ଆଉ ଏହା ଉପରେ ରୋକ୍ ଲଗାଇବାରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ସାହସ ଜୁଟାଇପାରୁନି । ସବୁ ଆଇନ କେବଳ ଟେବୁଲ ତଳ ଫାଇଲ, ଭାଷଣ ସମେତ କାଗଜ କଲମ ମଧ୍ୟରେ ସୀମିତ ହୋଇ ରହିଥିବା ବେଳେ ବିଭାଗୀୟ ଅଧିକାରୀ ସତେ ଯେପରି ନିଘୋଡ଼ ନିଦ୍ରାରେ ଶୋଇଥିବା ଭଳି ମନେ ହେଉଛି । ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ସରକାର ଫ୍ଲାଏଆସ୍ ଇଟାର ବ୍ୟବହାରକୁ ଗୁରୁତ୍ୱ ଦେଉଥିବା ବେଳେ ଏହାକୁ ଇଟାଭାଟି ମାଲିକ ମାନେ ମାନିବାକୁ ନାରାଜ । ସରକାରଙ୍କ ସମସ୍ତ ନିର୍ଦ୍ଧେଶକୁ ବେଖାତିର କରି ସେମାନେ ମନମାନି ଚଳାଉଛନ୍ତି । ହିଂଜିଳିକାଟୁ ତହସିଲ ଅଧିନ ଖରିଡ଼ା, ଆଲପୁର, ଚାନ୍ଦୁଲି, ବାଳକୃଷ୍ଣପୁର, ବେଲଗାଁ, ଗଣ୍ଡଳା, ଭାବନ୍ଦ, ଶିଖରପୁର ଭଳି ବିଭିନ୍ନ ଗ୍ରାମରେ ଛତୁ ଫୁଟିଲା ଭଳି ବେଆଇନ ମାଟି ପୋଡ଼ା ଇଟାଭାଟି ଦେଖିବାକୁ ମିଳୁଛି । ସବୁଠାରୁ ଉଦବେଗର ବିଷୟ ହେଲା ଏସମସ୍ତ ଇଟାଭାଟି ରାଜସ୍ୱ ନିୟମକୁ କୋଲାଖୋଲି ଉଲଙ୍ଘନ କରୁଛନ୍ତି । ରାଜସ୍ୱ ନିୟମ ଅନୁସାରେ ଜନବସତି, ନଦୀତଟ, ରାଜରାସ୍ତା ଠୁ ୫ଶହ ମିଟର ଦୂର ଓ ଚାଷ ଜମିରେ ଇଟାଭାଟି ନିର୍ମାଣ ଉପରେ ନିଷେଧାଦେଶ ଜାରି କରାଯାଇଛି । କିନ୍ତୁ ହିଂଜିଳି ତହସିଲ ଅଧିନସ୍ଥ ବିଭିନ୍ନ ରାଜସ୍ୱ ଗ୍ରାମରେ ଏଭଳି ସ୍ଥାନରେ ହିଁ ଗଢି ଉଠିଛି ମାଟିପୋଡ଼ା ଇଟାଭାଟି । କେତେକ ଗ୍ରାମର ଜନବସତି ନିକଟରେ, ରାସ୍ତା କଡ଼ରେ ଓ ନଦୀ ତଟରେ ହିଁ ଇଟାଭାଟି ତିଆରି କରି ପ୍ରଶାସନକୁ ମାଲିକ ମାନେ ଖୋଲାଖୋଲି ଚ୍ୟାଲେଞ୍ଜ ଦେଉଛନ୍ତି । ଏଥି ସହ ସେମାନଙ୍କ ପାଖରେ ପରିବେଶ ମଂଜୁରୀ ନଥିବା ବେଳେ ପଂଜିକରଣ ନିୟମକୁ ବି ମାନୁନାହାନ୍ତି । ପରିତାପର ବିଷୟ, ଏସବୁ ଦେଖିବି ପ୍ରଶାସନିକ ଅଧିକାରୀ ମାାନେ ନିରବଦ୍ରଷ୍ଟା ସାଜିଛନ୍ତି । କେବଳ ଉପର ଠାଉରିଆ ଚଢାଉ କରାଯାଉଛି ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି । ଆଉ ସବୁ ଇଟାଭାଟି ମାଲିକ ମାନେ ଜରିମାନା ଦେଇ ପୁଣି ଲକ୍ଷାଧିକ ଟଙ୍କାର ବେପାର ଆରମ୍ଭ କରି ଦେଉଛନ୍ତି । ସେହିପରି ଇଟା ପୋଡ଼ିବାକୁ କୋଇଲା ଓ ତସୁର ବ୍ୟବହାର ଦ୍ୱାରା ପ୍ରଦୂଷଣ ମାତ୍ରା ବି ବଢୁଛି । ମାଟିପୋଡ଼ା ଇଟାଭାଟି ଦ୍ୱାରା ସଂପୃକ୍ତ ଏବଂ ନିକଟବର୍ତି ଅଞ୍ଚଳର ଜମିର ଉର୍ବରତା ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଯକ୍ଷ୍ମା ରୋଗରେ ପିଡ଼ିତ ହେଉଥିବାର ନଜିର ରହିଛି । ସେପଟେ ବର୍ଷାକୁ ଆଖି ଆଗରେ ରଖି ମାଲିକ ମାନେ ଇଟା ପୋଡ଼ି ସଂଚୟ କରି ରଖିଛନ୍ତି । ସରକାରୀ ନିୟମାନୁସାରେ, ଏକ ହଜାର ଇଟା ପାଇଁ ରାଜସ୍ୱ ୧୦୫ ଟଙ୍କା, ଜଳକର ୩୦ ଟଙ୍କା, ସରଫେସ୍ ରେଣ୍ଟ ୩୬୦ ଟଙ୍କା ଓ ଶତକଡ଼ା ୨ ପ୍ରତିଶତ ଆୟକର ଜମା କରିବା ପାଇଁ ନିୟମ ରହିଛି । ଏଥିସହ ହେକ୍ଟର ପିଛା ପ୍ରତିବର୍ଷକୁ ଡେ଼ଟ ରେଣ୍ଟ ହିସାବରେ ବର୍ଷକୁ ୧୦ ହଜାର ୫ ଶହ ଟଙ୍କା ପ୍ରଦାନ କରିବା ସହ ପ୍ରଶାସନ ଓ ପ୍ରଦୂଷଣ ବୋଡର଼୍ର ସମସ୍ତ ନିୟମକୁ ଇଟାଭାଟି ମାଲିକ ମାନେ ମାନିବାକୁ ବାଧ୍ୟ ଅଟନ୍ତି । ଘଟଣା ନେଇ ସ୍ଥାନୀୟ ତହସିଲଦାର ଗୋପିନାଥ କୁଅଁରଙ୍କ ସହ ଯୋଗାଯୋଗ କରାଯାଇଥିଲେ, ମଧ୍ୟ କୋଣସି ସୁଫଳ ହୋଇ ପାରିନାହିଁ । ଏ ନେଇ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Advertisement