ପାରଳାଖେମୁଣ୍ଡି ,୦୨/୦୮ ଏଜେନସି : ପାରଳାଖେମୁଣ୍ଡି ସ୍ଥିତ ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର ସମ୍ମିଳନୀ ଗୃହଠାରେ ଭାରତ ସରକାରଙ୍କ ଯୁବ କ୍ରୀଡା ବିଭାଗ ଆନୁକୁଲ୍ୟରେ ପରିଚାଳିତ ତଥା ଜିଲା ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଏକ ଯୁବ ସମ୍ମିଳନୀ ଅନୁଷ୍ଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲା ସଂଯୋଜକ ବିଜୟ ମହାପାତ୍ର ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକରୁ ଆସିଥିବା ଯୁବକ ମାନଙ୍କୁ ଏକତ୍ରିତ କରି ସେମାନଙ୍କ ସହ ବିଭିନ୍ନ ଆଲୋଚନା କରାଯାଇଥିଲା । ମୁଖ୍ୟତଃ ଯୁବକ ମାନେ ଉତ୍ସାହିତ ହୋଇ କିପରି ନିଜ ଅଞ୍ଚଳର ହିତ ସାଧନପାଇଁ କାର୍ଯ୍ୟ କରିବେ । ସେ ବିଷୟରେ ସେମାନଙ୍କୁ ବୁଝାଯାଇଥିଲା । ସେହିପରି ବିଭିନ୍ନ ଯୁବକ ସଂଘ ଗୁଡିକୁ ଖେଳ ଉପକରଣ ମଧ୍ୟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସ୍ୱଧାଦେବସିଂ, ଜିଲା କ୍ରୀଡାଅଧିକାରୀ ପ୍ରଭାକର ତ୍ରିପାଠୀ, ନେହେରୁ ଯୁବକେନ୍ଦ୍ରର ଆଞ୍ଚଳିକ ନିର୍ଦ୍ଧେଶକ ଅଭିଯିତ ବୋଷ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲା ନେହେରୁ ଯୁବ କେନ୍ଦ୍ରର ମୋହିନୀ ପ୍ରଧାନ, ପ୍ରଶାନ୍ତ ତେଜା ପ୍ରମୁଖ ସହଯୋଗ କରିଥିଲେ ।