ବିଦ୍ୟୁତ ଆଘାତ ଲାଗି ଗଛ କଟାଳିଙ୍କ ମୃତ୍ୟୁ

278
ADVERTISEMENT


ଶେରଗଡ଼,୧/୮ ଏଜେନସି : ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମରେ ଗୁରୁବାର ସକାଳ ସାଢେ ୯ଟା ସମୟରେ ଏକ ଦୁଃଖଦ ଘଟଣା ଘଟିଛି। ହିଂଜିଲିକାଟୁ-ସେରଗଡ଼ ମୁଖ୍ୟ ସଡକ ପାର୍ଶ୍ଵରେ ଥିବା ଗଛ ଡାଳ କାଟିବାକୁ ଯାଇ ଜଣେ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ବିଦ୍ୟୁତ ସରବରାହ ଥାଇ ଗଛରେ ଚଢି ଡାଳ କାଟୁ ଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରାଣବାୟୁ ଚାଲି ଯାଇଥିଲା ଏପରି ଏକ କରୁଣାମୟ ଦୁଖଦଃ ଘଟଣା ଘଟିଛି । ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ହେଲେ ଶେରଗଡ଼ ଥାନା ଗୋବିନ୍ଦପୁର ଗ୍ରାମର ବୃନ୍ଦାବନ ସ୍ୱାଇଁ(୫୫)। ଘଟଣାରୁ ମିଳିଥିବା ସୂଚନା ପ୍ରକାରେ ମୃତ ବୃନ୍ଦାବନ ମୁଖ୍ୟ ସଡକ ପାର୍ଶ୍ଵରେ ଥିବା ଏକ ଗଛର ଡାଳ କାଟିବା ପାଇଁ କଟୁରି ଧରି ଗଛରେ ଚଢିଥିଲେ । କିନ୍ତୁ ବିଦ୍ୟୁତ ସରବରାହ ଥିବା ଜାଣିପାରିନଥିଲେ । ଡାଳ କାଟୁଥିବା ବେଳେ ବିଦ୍ୟୁତ ଆଘାତ ପାଇ ତାଙ୍କ ପ୍ରାଣ ବାୟୁ ସେଇଠାରେ ହିଁ ଚାଲିଯାଇଥିଲା । ଫଳରେ ତାଙ୍କ ନିଶ୍ଚଳ ଶରୀର ସେହି ଗଛରେ ଝୁଲି ରହିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଜବତ କରିଛି । ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ପୋଲିସ ।ଘଟଣାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ମୁଖ୍ୟ ସଡକ ପାର୍ଶ୍ଵରେ ଥିବା ଗଛ ଡାଳ ଯେଉଁ ଗୁଡିକ ବିଦ୍ୟୁତ ସଂସ୍ପର୍ଶରେ ଆସେ ସେଗୁଡିକୁ ବିଦ୍ୟୁତ ବିଭାଗ ତରଫରୁ ସଠିକ ଭାବରେ ତନଖି କାଟିଦେବା ଦରକାର ,ନଚେତ ସାଧାରଣ ଲୋକେ ଏପ୍ରକାର ଦୁର୍ଘଟଣାର ଶିକାର ହେବେ । ତେଣୁ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ନିରୀହ ବୃନ୍ଦାବନଙ୍କ ଅକାଳ ବିୟୋଗ ଘଟିଲା ବୋଲି ଅଞ୍ଚଳରେ ମତ ପ୍ରକାଶ ପାଇଛି। ମୃତକର ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି I



Advertisement