ADVERTISEMENT
Home ଆଞ୍ଚଳିକ ତିତିଲି ପ୍ରପିଡିତଙ୍କ ନୂତନ ଗୃହ ପ୍ରବେଶ

ତିତିଲି ପ୍ରପିଡିତଙ୍କ ନୂତନ ଗୃହ ପ୍ରବେଶ

272
ADVERTISEMENT

ପାରଳାଖେମୁଣ୍ଡି,୧୧/୧୦(ପ୍ରଭାତ ପାତ୍ର ) : ନୂତନ ଗୃହ ପ୍ରବେଶ କଲେ ତିତିଲି ପ୍ରପିଡିତ। ବାତ୍ୟାର ସମ୍ପୂର୍ଣ୍ଣ ଉଜୁଡି ଯାଇଥିବା 650ରୁ ଉର୍ଦ୍ଧ୍ବ ପରିବାରକୁ ଥଇଥାନ ଲକ୍ଷ୍ୟ ରଖିଥିବା ବେଳେ ସେଥିରୁ 90 ପ୍ରତିଶତ ଘର ସମ୍ପୂର୍ଣ୍ଣ ହୋଇସାରିଛି। ପ୍ରଭାବିତ ପରିବାର ନୂତନ ଗୃହରେ ରହିବା ଆରମ୍ଭ କରିଛନ୍ତି। ଅନେକ ଗ୍ରାମ ମଧ୍ୟରୁ ବେଶି ପ୍ରଭାବିତ ତଥା ବିପଦ ସଙ୍କୁଳ ଅବସ୍ଥାରେ ଥିବା 12 ରୁ ଉର୍ଦ୍ଧ୍ବ ଗ୍ରାମକୁ ସମତଳ ସ୍ଥାନରେ ଥଇଥାନ କରିଛି ପ୍ରଶାସନ। ଘଟଣାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ ନୂତନ ମାଡବା କଲୋନୀରେ ଗୃହ ପ୍ରବେଶ କରିଛନ୍ତି ବାତ୍ୟା ପ୍ରଭାବିତ 61 ହିତାଧିକାରୀ। ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ନୂତନ ନିର୍ମିତ ଗ୍ରାମର ଗୃହ ପ୍ରବେଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏକ ଭାବ ବିହ୍ଵଳିତ ପରିବେଶ ମଧ୍ୟରେ ନୂତନ ଗୃହ ଗୁଡ଼ିକରେ ପାଦ ଥାପିଥିଲେ 61 ପରିବାର। ଆଖିରେ ଏବେବି ସେହି କାଳରାତ୍ରିର କରାଳ ରୂପର ଅଙ୍ଗେ ନିଭା ଘଟଣାବଳୀ ସତେ ଯେପରି ଖେଳି ଯାଉଥିବା ମନେ ହେଉଥିଲା ଏମାନଙ୍କ ମଧ୍ୟରେ। କୋହଭରା ହୃଦୟରେ ସ୍ବାଗତ କରିଥିଲେ ଜିଲ୍ଲାପାଳ ଏବଂ ପ୍ରଶାସନିକ ଅଧିକାରୀଙ୍କୁ। ସର୍ବସ୍ବାନ୍ତ ପରିବାରଙ୍କୁ ସମସ୍ତ ସହାୟତା ଯୋଗାଇ ସୁସ୍ଥ ଜୀବନ ଯାପନ କରିବାପାଇଁ ସହଯୋଗ କରିଥିବାରୁ ସରକାରଙ୍କ ଠାରେ କୃତଜ୍ଞତା ଜଣାଇଛନ୍ତି ପ୍ରଭାବିତ ଗ୍ରାମବାସୀ। ତେବେ ନୂତନ ସ୍ଥାନରେ ବସବାସ କରିବା ପରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ଏହି ଅବସରରେ ବାତ୍ୟାରେ ନିଜ ବାପାମାଆ ଭାଇ ଭଉଣୀଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ପ୍ରଶାସନ ପୋଷ୍ୟ ଭାବେ ଗ୍ରହଣ କରି ରଖିଥିବା ଆବାସିକ ବିଦ୍ୟାଳୟ ପରିଦର୍ଶନ କରି ମିଷ୍ଟାନ୍ନ ଆଦି ପ୍ରଦାନ କରିଛନ୍ତି ଜିଲ୍ଲାପାଳ। ଅନାଥ ପିଲାଙ୍କ ସହ କ୍ରିକେଟ ଖେଳି କିଛି ସମୟ ବିତାଇଛନ୍ତି ଜିଲ୍ଲାପାଳ ଅନୁପମ ସାହା।

Advertisement