ଗଜପତି,୦୭/୦୮ (ପ୍ରଭାତ କୁମାର ପାତ୍ର) : କରୋନା ସଙ୍କଟରେ ବଞ୍ଚିବାର ରାହା ନ ପାଇ ଦାଦନକୁ ଫେରିଲେ ଶ୍ରମିକ। ସଂକ୍ରମଣରୁ ରକ୍ଷା କରିବାକୁ ବହୁ ଅର୍ଥ ବ୍ୟୟ ଓ ପରିଶ୍ରମ କରି ନିଜ ଭିଟାମାଟିକୁ ଫେରାଇ ଆଣିଥିଲେ ସରକାର। ବ୍ଲକ ସ୍ତରରେ ସେମାନଙ୍କୁ କାମ ଯୋଗାଇବାକୁ ମନରେଗା ଯୋଜନାରେ ସାମିଲ କରାଯିବା କଥା କୁହାଗଲା। ତେବେ ଗୁଜୁରାଣ ନପାଇ ପୁଣି ବାଧ୍ୟ ହୋଇ ବିଦେଶ ମୁହାଁ ହେଲେ ଦାଦନ ଶ୍ରମିକ। ଏହିପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅଞ୍ଚଳରୁ।
ଦୁଇଟି ବସ ଯୋଗେ ବହୁ ସଂଖ୍ୟକ ଶ୍ରମିକ ରା ଉଦୟଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରୁ କର୍ଣ୍ଣାଟକ ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅଞ୍ଚଳର କିଛି ଶ୍ରମିକ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ଦାଦନ ଖଟିବାକୁ ଯାଇଥିଲେ। କରୋନା କଟକଣାରେ ସମସ୍ତ କାମଧନ୍ଦା ବନ୍ଦ ହେବାପରେ ଜୀବନ ବଞ୍ଚାଇବାକୁ ପରିବାର ଲୋକଙ୍କ ପାଖକୁ ଫେରି ଆସିଥିଲେ। ସରକାର ମଧ୍ୟ ନିଜ ମାଟିକୁ ଫେରି ଆସିବାକୁ ସହଯୋଗ କରିଥିଲେ। ତେବେ କରୋନା ଭୟାବହକୁ ପଛରେ ପକାଇ ଜୀବନ ଜୀବିକା ପାଇଁ ପୁଣି ପରିବାର ଲୋକଙ୍କ ଠାରୁ ବିଦାୟ ନେଇ ବାହାରି ପଡିଲେ ସୁଦୂର କର୍ଣ୍ଣାଟକ। ସାଥିରେ ଅଧିକ ଶ୍ରମିକ ସାମିଲ ହୋଇ ଯାଉଥିବା ଜଣାପଡିଛି। ଆଗକୁ ଆହୁରି ଅଧିକ ସଂଖ୍ୟକ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେବେ ବୋଲି ଆଲୋଚନା ହେଉଛି।


















