ହିଞ୍ଜିଳିକାଟୁ, ୧୪ା୭ (ଶେଷଦେବ ସାହୁ): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ମତ ମନ୍ତବ୍ୟରେ ସାମ୍ବାଦିକ ମାନଙ୍କୁ ଆଗଧାଡ଼ିର କରୋନା ଯୋଦ୍ଧା ବୋଲି କହିବା କେବଳ ଧର୍ମକୁ ଆଖିଠାର ଭଳି ସାବ୍ୟସ୍ତ ହୋଇଛି । ଚଳିତ ମାସ ୧୧ ତାରିଖରେ ହିଞ୍ଜିଳିକାଟୁ ପ୍ରେସକ୍ଳବ ସଭାପତି ତଥା ଦୈନିକ ଖବରକାଗଜ ହିଞ୍ଜିଳିକାଟୁ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ କରୋନାରେ ସଂକ୍ରମିତ ହୋଇ ଭୂବନେଶ୍ୱର କିମ୍ସ କୋଭିଡ଼ ହସପିଟାଲରେ ଚିକିତ୍ସାଧିନ ସମୟରେ ମୃତ୍ୟୁ ବରଣ କରିଥିଲେ । ସେ ବିଭିନ୍ନ ସ୍ଥାନରୁ କବର ସଂଗ୍ରହ କରିବା ସମୟରେ କିମ୍ବା ପ୍ରବାସୀ ଓଡ଼ିଆଙ୍କ ସହ ସମ୍ପର୍କ କରି ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିବା ସମୟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ପରିତାପର ବିଷୟ ସଂପୃକ୍ତ ସାମ୍ବାଦିକଙ୍କ ମୃତ୍ୟୁର ୪ ଦିନ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଭାବେ ତାଙ୍କ ପାଇଁ କୌଣସି ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ମିଳିପାରିନାହିଁ । ସାମ୍ବାଦିକ ମାନଙ୍କ ପାଇଁ ରାଜ୍ୟ ସରକାର କୌଣସି ପ୍ରକାର ସମ୍ବେଦନ ନଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବୋଲି ସାମ୍ବାଦିକ ମାନଙ୍କ ମହଲରେ ଆଲୋଚନା ହେଉଛି । କୌଣସି କରୋନା ଯୋଦ୍ଧା ସାମ୍ବାଦିକ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କଲେ ତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଗତ ୧୭ ଏପ୍ରିଲରେ ଘୋଷଣା କରାଯାଇଥିଲା । ପରିତାପର ବିଷୟ ସାମ୍ବାଦିକ ତଥା କରୋନା ଯୋଦ୍ଧା ସ୍ୱର୍ଗତ ପଟ୍ଟନାୟକଙ୍କୁ ଏଯାବତ୍ କୌଣସି ପ୍ରକାର ସରକାରୀ ସହାୟତା ପ୍ରଦାନ କରି ନାହାନ୍ତି କିମ୍ବା ଏଥିପ୍ରତି ସରକାରଙ୍କ କୌଣସି ଆନ୍ତରିକତା ନଥିବା ଳସ୍ପଷ୍ଟ ବାରି ହୋଇପଡ଼ୁଛି । ସେହିପରି କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା କରୋନା ଯୋଦ୍ଧା ମାନଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା ବେଳେ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତି ଏଭଳି କରାଯାଇନଥିବା ଜଣାପଡ଼ିଛି । ସ୍ୱର୍ଗତ ପଟ୍ଟନାୟକ ଜଣେ ପରପୋକାରୀ, ମିଷ୍ଟ ଭାଷୀ ,ସାମଜସେବୀ ଓ ବରିଷ୍ଟ ସାମ୍ବାଦିକ ଭାବେ ବେଶୁ ଜଣାଶୁଣା ଥିଲେ । ତେଣୁ ଏ ନେଇ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
















