ହିଂଜିଳିକାଟୁ, ୨୭ା୭ (ଶେଷଦେବ ସାହୁ): ଶ୍ରାବଣ ମାସର ପ୍ରଥମ ଲଘୁଚାପଜନିତ ଲଗାଣ ବର୍ଷାରେ ହିଂଜିଳିକାଟୁ ଏବଂ ଏହାର ଆଖପାଖ ଅଂଚଳର ଚାଷୀ ସାମାନ୍ୟ ଆଶ୍ୱସ୍ତ ଅନୁଭବ କରିଛି । ଗତ କିଛି ଦିନ ହେଲା ହିଂଜିଳିକାଟୁ ଅଂଚଳରେ ଆବଶ୍ୟକ ପରିମାଣରେ ବର୍ଷା ହୋଇନଥିବାରୁ ଚାଷୀକୂଳ ଚିନ୍ତିତ ହୋଇପଡ଼ିଥିଲେ । ହିଂଜିଳି ଅଂଚଳରେ କମ୍ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟରେ ମନ୍ଥରତା ଦେଖାଦେଇଥିଲା । ତେବେ ଗୁରୁବାର ଓ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଲଘୁଚାପ ପ୍ରଭାବରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବା ଫଳରେ ଚାଷୀ ଚାଷ କାର୍ଯ୍ୟ ଆଗେଇବା ଲାଗି ତତ୍ବର ହୋଇପଡ଼ିଛି । କ୍ଷେତକୁ ଯାଇ ଋଆ ବେଉଷଣ କାର୍ଯ୍ୟ ଆରମ୍ଭ କରିଦେଇଛି । ଗତ ଅକ୍ଷୟ ତୃତୀୟା ଠାରୁ ରଜ ସଂକ୍ରାନ୍ତି ମଧ୍ୟରେ କେତେକ ଅଂଚଳର ଚାଷୀ ନିଜ କ୍ଷେତରେ ଧାନ ବିହନ ବୁଣି ଦେଇଥିଲେ ମଧ୍ୟ ବର୍ଷା ଅଭାବରୁ ମରୁଡ଼ି ହେବା ଆଶଙ୍କାରେ ଚାଷୀ ଚିନ୍ତିତ ହୋଇ ପଡ଼ିଥିଲେ । ଏହି ଲଘୁଚାପ ଜନିତ ବର୍ଷା ଯୋଗୁଁ ଚାଷୀଙ୍କ ମନରେ ଉଲ୍ଲାସ ଖେଳିଯାଇଛି । ଅପର ପକ୍ଷରେ ଲଘୁଚାପ ଜନିତ ଲଗାଣ ବର୍ଷାରେ ଶନିବାର ଦିନ ତମାମ ପାଗ ମେଘୁଆ ରହିଥିବା ବେଳେ ଚାଷୀ ମୂଲିଆ କରି ଖୁସି ମନରେ ବିଲକୁ ଯାଇ ରୁଆ ବେଉଷଣ କରୁଥିବାର ଦେଖିବାକୁ ମିଳୁଛି ।