ADVERTISEMENT
Home ଆଞ୍ଚଳିକ ଗଜପତି ଜିଲ୍ଲା ସମସ୍ତ ଜଗନ୍ନାଥ ମନ୍ଦିରରେ ପ୍ରଶାସନ ତରଫରୁ ୧୪୪ ଧାରା

ଗଜପତି ଜିଲ୍ଲା ସମସ୍ତ ଜଗନ୍ନାଥ ମନ୍ଦିରରେ ପ୍ରଶାସନ ତରଫରୁ ୧୪୪ ଧାରା

764
ADVERTISEMENT


ଗଜପତି (ପାରଳାଖେମୁଣ୍ଡି) , ୨୪।୬(ପ୍ରଭାତ କୁମାର ପାତ୍ର ): ମହାମାରୀ କୋରୋନା ଯୋଗୁଁ ଚଳିତ ବର୍ଷ ପୁରୀ ବ୍ୟତୀତ ରାଜ୍ୟର ସମସ୍ତ ଜିଲ୍ଲାରେ ରଥଯାତ୍ରା ଓ ବାହୁଡାଯାତ୍ରା ଉପରେ ରୋକ ଲାଗିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରଥଯାତ୍ରା ଉପରେ ରୋକ ଲଗାଯାଇଛି । କିନ୍ତୁ ପବିତ୍ର ଘୋଷ ଯାତ୍ରା ଅବସରରେ ଗଜପତିରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପରମ୍ପରା ଅନୁଯାୟୀ ସମ୍ପନ୍ନ ହୋଇଛି । ଜିଲ୍ଲା ପ୍ରଶାସନର ନିୟମ ଅନୁସାରେ ମନ୍ଦିର ଭିତରକୁ କେବଳ ସେବାୟତଙ୍କ ପ୍ରବେଶ ଅନୁମତି ଥିବାବେଳେ ସାଧାରଣ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି । ଏଥିସହ ଜିଲ୍ଲାରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିର ପରିସରରେ ୧୪୪ ଧାରା ଜାରି କରାଯାଇଛି । ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ କୋରୋନା ସଂକ୍ରମଣକୁ ଜିଲ୍ଲାରେ ରୋକିବା ପାଇଁ କୋଭିଡ-୧୯ର ସମସ୍ତ ଗାଇଡ଼ଲାଇନ ପାଳନ କରାଯାଉଛି । ପ୍ରକାଶ ଥାଉ କି, ଗଜପତି ଜିଲ୍ଲାର ସଦରମହାକୁମା ପରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ପୁରୀ ଶ୍ରୀମନ୍ଦିରରେ ପାଳିତ ହେଉଥିବା ସମସ୍ତ ନୀତିକାନ୍ତି ଅନୁସାରେ ପ୍ରତିବର୍ଷ ଘୋଷ ଯାତ୍ରା ଅନୁଷ୍ଠିତ ହୁଏ । ତିନି ଠାକୁରଙ୍କ ପାଇଁ ଏଠି ତିନୋଟି ରଥ ହୁଏ । ଠାକୁରଙ୍କ ପହଣ୍ଡି ଦେଖିବାକୁ ଏବଂ ରଥ ଟାଣିବାକୁ ହଜାର ହଜାର ସଂଖ୍ୟାରେ ଭକ୍ତ ଏଠାରେ ଭିଡ଼ ଲଗାଇଥାନ୍ତି। ଗଜପତି ଶ୍ରୀ ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ପରେ ତାଙ୍କ ଦାୟାଦ ସୁଶ୍ରୀ କଲ୍ୟାଣୀ ଗଜପତି ଛେରା ପହଁରା କରୁଥିଲେ। ତେବେ ଚଳିତ ବର୍ଷ ଜିଲ୍ଲାର ଅନେକ ଜଗନ୍ନାଥ ମନ୍ଦିରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହି ଯାତ୍ରା ବନ୍ଦ କରାଯାଇଛି । ଗୁରାଣ୍ଡି ,ଜିରାଙ୍ଗ, ରା. ଉଦୟଗିରି, ରାମଗିରି, ରାୟଗଡ, ନାରାୟଣପୁର, ଚନ୍ଦ୍ରଗିରି, ମୋହନାରେ ଥିବା ଜଗନ୍ନାଥ ମନ୍ଦିରରେ କେବଳ ଠାକୁରଙ୍କ ବିଧି ଅନୁସାରେ ନୀତିକାନ୍ତି ଅନୁଷ୍ଠିତ ହେଉଛି । ଆଗାମୀ 9 ଦିନ ପର୍ଯ୍ୟନ୍ତ ଠାକୁରଙ୍କ ସମସ୍ତ ନୀତିକାନ୍ତି ମଧ୍ୟ ସମ୍ପନ୍ନ ହେବ । କିନ୍ତୁ ଏସବୁ ପରେ ବି ରଥ ଗଡ଼ିନି କି ଠାକୁର ରଥାରୂଢ଼ ହୋଇ ନାହାନ୍ତି।

Advertisement