
ବ୍ରହ୍ମପୁର,୧୦/୭ (ଡି.ଏଚ.ବି): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମ ବ୍ଲକର ଆଉଁଗୁ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିର୍ମାଣଧୀନ ଫଳକ ଭୁଶୁଡି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ଅପରାହ୍ନରେ ଖେଳ ଛୁଟି ସମୟରେ ଷଷ୍ଠ ଶ୍ରେଣୀର ଶ୍ୟାମ ଦାସ ଏହି ଫଳକ ପାଖରେ ଖେଳୁଥିଲେ । ତେବେ ହଠାତ ଏହି ଫଳକଟି ଭୁଶୁଡି ପଡିଥିଲା । ଯାହାଫଳରେ ଫଳକ ତଳେ ଚାପି ହୋଇ ଶ୍ୟାମ ରହିଯାଇଥିଲେ । ତୁରନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସକାଳ ୬ଟାରେ ଶ୍ୟାମର ମୃତ୍ୟୁ ହୋଇଯାଇଥିଲା । ମୁଣ୍ଡ ଓ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ତାଙ୍କର ମୃତ୍ୟୁ ହୋଇଥିବାର ଡାକ୍ତର କହିଛନ୍ତି । ଏ ନେଇ ପୁରୁଷୋତ୍ତମପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ତେବେ ଏ ନେଇ ଆଉଁଗୁ ଗାଁରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ଯାଏଁ ବ୍ୟବଛେଦ ହୋଇନଥିବାରୁ, ଏହାପରେ ହିଁ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ମେଡିକାଲ କର୍ତୃପକ୍ଷ କହିଛନ୍ତି ।