ହିଂଜିଳିକାଟୁ, ୯ା୭ (ଶେଷଦେବ ସାହୁ): ରଥଯାତ୍ରା ଉପଲକ୍ଷେ ସାରା ରାଜ୍ୟରେ ଆଧ୍ୟାତ୍ମିକ ପରିବେଷ ଲାଗି ରହିବା ସହ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ନଅଦିନ ବ୍ୟାପି ଚାଲିବାକୁ ଥିବା ଏହି ଘୋଷ ଯାତ୍ରାରେ ହିଂଜିଳିକାଟୁ ଓ ଏହାର ଆଖପାଖ ଅଂଚଳରେ ଥିବା ଶ୍ରଦ୍ଧାଳୁ ନିଜକୁ ସାମିଲ କରିଛନ୍ତି । ହିଂଜିଳିକାଟୁ ଆଡ଼ପ ମଣ୍ଡପ ଠାରେ ବିଜେ ତିନି ଠାକୁରଙ୍କ ଭିନ୍ନ ଭିନ୍ନ ବେଶ ଦେଖିବାକୁ ଓ ସନ୍ଧ୍ୟା ଆଳତି ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହୁଛି । ପ୍ରତ୍ୟେକ ଦିନ ଠାକୁରଙ୍କ ବେଶ ବଦଳୁଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଶେଷ କରି ସନ୍ଧ୍ୟା ଆଳତି ବେଳେ ଶହ ଶହ ଶ୍ରଦ୍ଧାଳୁ ଆଡ଼ପ ମଣ୍ଡପକୁ ଯାଇ ତିନି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଆଡ଼ପ ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ମାନ ଗଢି ଉଠିଛି । ମଙ୍ଗଳବାର ଦିନ ହିଂଜିଳିକାଟୁ ପୌରାଂଚଳ ପାବନ ଶ୍ରୀକ୍ଷେତ୍ରାଧିପତି, ବଡ଼ ରଙ୍ଗଣି ସାହି , ପାଟଣା ସାହି ଓ ବ୍ଳକର ବିଭିନ୍ନ ଗ୍ରାମର ଆଡ଼ପ ମଣ୍ଡପ ଠାରେ ପୂଜା ପାଉଥିବା ଠାକୁର ମାନଙ୍କ ବାମନ ଅବତାର ବେଶ ଦେଖିବାକୁ ପ୍ରବଳ ଭିଡ଼ ଲାଗି ରହିଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।