ପାନୀୟ ଜଳ ଅଭାବ ସାଙ୍ଗକୁ : ଶୌଚାଳୟରେ ଝୁଲୁଛି ତାଲା
ହିଂଜିଳିକାଟୁ, ୮ା୭ (ଶେଷଦେବ ସାହୁ): ରାଜ୍ୟ ମୁଖିଆଙ୍କ ଗଡ଼ର ଏକମାତ୍ର ପୌର ପରିଷଦ ହିଂଜିଳିକାଟୁ ପୌର ପରିଷଦକୁ ସରସ ଓ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏକ ବସ ଟର୍ମିନାଲ ନିର୍ମାଣ ସକାଶେ ଗତ ୪ ଏପ୍ରିଲ ୨୦୧୮ ରେ ଭିତି ପ୍ରସ୍ତରସ୍ଥାପନ କରିଥିଲେ । ବସ୍ ଟର୍ମିନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଚୁକ୍ତି ଅବଧି ଶେଷ ହୋଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପାରିନାହିଁ । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଂଜିଳି ଗ୍ରସ୍ତରେ ଆସି ଆସନ୍ତା ୩୦.୦୯.୨୦୧୯ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଯାବତ୍ ନିର୍ମାଣ କାର୍ଯ୍ୟ ଶତକଡ଼ା ୭୦ ଭାଗ ସରିନାହିଁ । ତେବେ ବସ୍ ଟର୍ମିନାଲ କାର୍ଯ୍ୟ ଚାଲୁ ରହିଥିବା ଯୋଗୁଁ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମକୁ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ କାର୍ଯ୍ୟକାରୀ କରାଯାଉଛି । ପରିତାପର ବିଷୟ ହିଂଜିଳିକାଟୁ ସହର ମଧ୍ୟକୁ ପ୍ରତ୍ୟେହ ୫୦୦ରୁ ଉର୍ଦ୍ଧ ଯାତ୍ରୀବାହୀ ବସ୍ ଆସୁଥିବା ବେଳେ ଯାତ୍ରୀ ମାନଙ୍କ ସକାଶେ କୌଣସି ପ୍ରକାର ସୁବିଧା ସୁଯୋଗ ନଥିବା ଯୋଗୁଁ ବହୁ ସମୟରେ ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଥାଉକି, ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ହିଂଜିଳିକାଟୁ ସହରକୁ ଗତ ୧୮.୦୮.୨୦୧୭ ତାରିଖରେ ପୌର ପରିଷଦର ମାନ୍ୟତା ମିଳିଥିଲା । ହିଂଜିଳିକାଟୁ ସହରକୁ ପୌର ପରିଷଦର ମାନ୍ୟତା ମିଳିଥିଲେ ମଧ୍ୟ ପୌରପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ମନୋଭାବ ଏବଂ ମନମୁଖୀ ଶାସନ ଯୋଗୁଁ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ଯାତ୍ରୀ ମାନେ ନାନା ଅସୁବିଧା ଭୋଗ କରୁଛନ୍ତି । ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ପିଇବା ପାଣି ତ ଦୂରର କଥା ଦୀର୍ଘ ଦିନ ଧରି ଶୌଚାଳୟରେ ତାଲା ଝୁଲୁଛି । ଦୁରଦୂରାନ୍ତରରୁ ଆସି ହିଂଜିଳିକାଟୁ ବସଷ୍ଟାଣ୍ଡରେ ଓହ୍ଲାଉଥିବା ଯାତ୍ରୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବସଷ୍ଟାଣ୍ଡ ପରିସରରେ ଯାତ୍ରୀମାନେ ମୌଳିକ ସୁବିଧା ଅଭାବରୁ ବସଷ୍ଟାଣ୍ଡ ଭିତରକୁ ନଯାଇ ୫୯ ନଂ ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ବସକୁ ଅପେକ୍ଷା କରି ରହୁଥିବାର ଦେଖିବାକୁ ମିଳୁଛି । ଏପରିକି ଯାତ୍ରୀବାହୀ ବସ ଗୁଡ଼ିକୁ ବସଷ୍ଟାଣ୍ଡ ମଧ୍ୟକୁ ପ୍ରବେଶ ନକରି ଜାତୀୟ ରାଜପଥ ଉପରେ ହିଁ ପାର୍କିଂ କରି ଯାତ୍ରୀ ମାନଙ୍କୁ ବସରୁ ଓହ୍ଲାଉଛନ୍ତି ଓ ଚଢାଉଛନ୍ତି । ଏଭଳି ଗୁରୁତର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ବହୁ ସମୟରେ ଛୋଟବଡ଼ ଦୂର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବାର ନଜିର ରହିଛି । ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟ ଜୁନ ୨୦୧୭ ରେ ଆରମ୍ଭ ହେବା ପରେ ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡ଼ିୟମକୁ ଅସ୍ଥାୟୀ ବସଷ୍ଟାଣ୍ଡ ଭାବେ କାର୍ଯ୍ୟକାରୀ କରାଯାଇଥିଲା । ଉକ୍ତ ସମୟରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ଶୁଦ୍ଧ ପାନୀୟ ଜଳ ଯୋଗାଣ, ଆଲୋକୀକରଣ ଓ ଶୌଚାଳୟ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପ୍ରତିଶୃତି ପ୍ରଦାନ କରାଯାଇଥିଲା । ଏହି ବସଷ୍ଟାଣ୍ଡ ପରିସରରେ ପିଇବା ପାଣି ଟୋପାଏ ପାଇବା ପାଇଁ ଯାତ୍ରୀ ମାନେ ଡ଼ହଳ ବିକଳ ହେଉଥିଲେ ମଧ୍ୟ ପୌର ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଗତ ୨ ମାସ ଧରି ଅସ୍ଥାୟୀ ବସଷ୍ଟାଣ୍ଡ ପରିସରରେ ନିର୍ମାଣ ହୋଇଥିବା ୨ ଟି ଶୌଚାଳୟରେ ତାଳା ଝୁଲୁଛି । ପୁରୁଷ ଯାତ୍ରୀ ମାନେ ବସଷ୍ଟାଣ୍ଡ ପରିସରରେ ଲଜ୍ୟାହୀନ ଭାବେ ପରିଶ୍ରା କରୁଥିବା ବେଳ ମହିଳା ଯାତ୍ରୀଙ୍କ ଅବସ୍ଥା କହିଲେ ନସରେ । ଘଟଣା ନେଇ ପୌର ପରିଷଦର କାର୍ଯ୍ୟ ନିବର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ସହ ଯୋଗାଯୋଗ କରାିବାରୁ ସେ କହିଲେ ଶୌଚାଳୟରେ ତାଲା ଝୁଲିବା ଘଟଣା ବିଷୟରେ ସେ ଅବଗତ ନୁହନ୍ତି , ପାନୀୟ ଜଳ ଯୋଗାଣ ଯଥାଶୀଘ୍ର ବ୍ୟବସ୍ଥା ଗ୍ରହଣ କରାଯିବ ।