Friday, October 23, 2026
ADVERTISEMENT
Home ଆଞ୍ଚଳିକ ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

422
ADVERTISEMENT

ବ୍ରହ୍ମପୁର,୮/୭ (ଡି.ଏଚ.ବି): ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ ତିନୋଟି, ସଦର ଥାନା ଇଲାକାରେ ଦୁଇଟି, ବଡ଼ବଜାର ଥାନା ଅଞ୍ଚଳରେ ଦୁଇଟି ଓ ଟାଉନ ଥାନା ଅଧୀନରେ ଗୋଟିଏ ଚୋରି ଘଟଣାର ପୋଲିସ ବାପ-ପୁଅ ଗ୍ୟାଙ୍ଗକୁ ଧରିବା ସହ ଘଟଣାର ପର୍ଦ୍ଦାଫାଶ କରିଛି । ଏନେଇ ବୈଦ୍ୟନାଥପୁର ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ମାୟାଧର ସେଠୀ ସୂଚନା ଦେଇଛନ୍ତି । ଗ୍ୟାଙ୍ଗ ଲିଡର କୁହାଯାଉଥିବା ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶ ନଗର ପ୍ରଥମ ଲେନରେ ରହୁଥିବା ଜଣେ ବ୍ୟକ୍ତି ଓ ତାଙ୍କ ନାବାଳକ ପୁଅମାନେ ଏହି ଚୋରି ଘଟଣାଗୁଡ଼ିକରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ସେମାନଙ୍କ ନିକଟରୁ ୧୩୫ ଗ୍ରାମ ସୁନା, ୨୫ ହଜାର ଟଙ୍କା, ରୁପା ସାମଗ୍ରୀ, କ୍ୟାମେରା, ମୋବାଇଲ ଫୋନ, ଏଲଇଡି ଟିଭି, ରେଡିଓ ଏବଂ ଆଇରନ ଚେଷ୍ଟ ପ୍ରଭୃତି ଜବତ କରାଯାଇଥିବା ଅତିରିକ୍ତ ଏସ୍‌ପି ସେଠୀ କହିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ବୈଦ୍ୟନାଥପୁର ପୋଲିସ ରବିବାର କୋର୍ଟଚାଲାଣ କରିଥିବା ବେଳେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)କୁ ପଠାଇ ଦିଆଯାଇଛି । ଗତ ମେ ମାସରେ ନାବାଳକମାନେ ବାଳ ସୁଧାର ଗୃହରୁ ମୁକ୍ତି ପାଇବା ପରେ ପୁଣିଥରେ ଏହି ଆପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ ବୋଲି ପୋଲିସ କହିଛି। ଗତ କିଛିଦିନ ତଳେ ଉପରୋକ୍ତ ସିରିଜ୍‌ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ବଡ଼ବଜାର ପୋଲିସ ଜେଜେବିକୁ ପଠାଇଥିଲା। ସେହିପରି ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଧରିପାରି ନ ଥିବା କହିଛି। ଏହି ଗ୍ୟାଙ୍ଗ ସହର ଓ ସହର ତଳି ଅଞ୍ଚଳ ଘୂରି ବୁଲିବା ସହ ବିଶେଷକରି ତାଲା ବନ୍ଦ ଘରକୁ ଟାର୍ଗେଟ କରୁଥିଲେ ବୋଲି ସେମାନଙ୍କୁ ଜେରା ବେଳେ ଜଣାପଡ଼ିଥିବା ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ଗତ ମେ ମାସରୁ ସହରର ବିଭିନ୍ନ ଥାନା ଇଲାକାରେ ନିୟମିତ ବ୍ୟବଧାନରେ ତାଲା ବନ୍ଦ ଘରୁ ସୁନା ଅଳଙ୍କାର, ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିଲା । ଯାହାକି ପୋଲିସ ପାଇଁ ଚ୍ୟାଲେଞ୍ଜ ଥିଲା। ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁପ୍ରସାଦ ପତି, ସଦର ଏସଡିପିଓ ଜୟନ୍ତ ମହାପାତ୍ର, ବଡ଼ବଜାର ଆଇଆଇସି ପ୍ରଶାନ୍ତ ଭୂପତି, ଟାଉନ ଥାନାଧିକାରୀ ସନ୍ତୋଷିନୀ ଓରାମ, ବୈଦ୍ୟନାଥପୁର ଥାନାଧିକାରୀ ସାରଦା ପ୍ରସାଦ ଦାଶ, ସଦର ଥାନାଧିକାରୀ ଭାବନାନନ୍ଦ ପ୍ରଧାନଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ଗ୍ୟାଙ୍ଗର ଗତିିବିଧି ଉପରେ ନଜର ରଖିଥିଲେ। ଜଣେ ନାବାଳକଙ୍କୁ ଧରି ପୋଲିସ ପଚରାଉଚରା ବେଳେ ଏହି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତି ଜଣକ ତାଙ୍କ ନାବାଳକ ପୁଅମାନଙ୍କୁ ଚୋରି କାର୍ଯ୍ୟରେ ଲିପ୍ତ କରାଉଥିଲେ। ସେମାନଙ୍କଠାରୁ ଚୋରି ସାମଗ୍ରୀ ପାଇବା ପରେ ସେ ଅଳ୍ପ କିଛି ଟଙ୍କା ତାଙ୍କୁ ଦେଉଥିଲେ ବୋଲି ଜେରା ବେଳେ ଜଣାପଡ଼ିଛି। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ନାବାଳକଙ୍କୁ ପୋଲିସ ଖୁବଶୀଘ୍ର ଧରିବ ବୋଲି ସେ କହିଛନ୍ତି ।

Advertisement