ବ୍ରହ୍ମପୁର, ୧୫।୩ (ବ୍ୟୁରୋ) : ବ୍ରହ୍ମପୁର ଦେଇ ଯାଉଥିବା ୧୬ ନମ୍ବର ଜାତୀୟ ରାଜପଥର ସଂପ୍ରସାରଣ ଯୋଜନା ଯୋରସୋରରେ ଚାଲିଥିବା ବେଳେ କେତେକ ସ୍ଥଳରେ ଘରୋଇ ଏବଂ ସରକାରୀ ଜବର ଦଖଲ ଯୋଗୁଁ ରାସ୍ତାର ସଂପ୍ରସାରଣ ଶୀଘ୍ର ଶେଷ ହେଉନଥିବା ଅଭିଯୋଗ ହେଉଛି ।

ଘରୋଇ ଜବର ଦାଖଲ ଅପେକ୍ଷା ସରକାରୀ ଜବର ଦଖଲ ବିଶେଷ କରି “ସାଉଥ କୋ” ର ବିଦ୍ୟୁତ ଖୁଣ୍ଟ ଟ୍ରାନ୍ସ ଫର୍ମର ସହିତ ରାସ୍ତାକୁ ଲାଗି ରହିଥିବା ଅଫିସ ପାଚେରୀ କଡ଼ରେ ଅବ୍ୟବହୃତ ଗାଡି ଗୁଡିକ ବହୁ ବର୍ଷ ଧରି ପଡି ରହୁଥିବା ଯୋଗୁଁ ସଂପ୍ରସାରଣ କାର୍ଯ୍ୟରେ ଅହେତୁକ ବିଳମ୍ୱ ହେଉଥିବା ସୂଚନା ମିଳିଛି ।

ଏ ସମ୍ପର୍କରେ ସାଉଥ କୋ ଉଚ୍ଚ କର୍ତ୍ତୁପକ୍ଷ କୌଣସି ମନ୍ତବ୍ୟ ଦେବା ପାଇଁ ମନା କରି ଦେଇଥିବା ବେଳେ ଏକ ଉଚ୍ଚ ସ୍ଥରୀୟ ତଦନ୍ତର ଆବଶ୍ୟକତା ଦେଖାଦେଇଛି । ଏହି ଛଡା ରାସ୍ତାର ଦୁଇ ପାର୍ଶ୍ଵରେ ଝୁଲି ରହି ଥିବା ତାର ଗୁଡିକର ମଧ୍ୟ ପରିବର୍ତ୍ତନ ହେଉନଥିବା ଯୋଗୁଁ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହେଉଛି ।

ହଳଦିଆପଦର ଠାରୁ ଛତ୍ରପୁର ଯାଏ ଲାଗିଥିବା ରାସ୍ତା ଆଲୁଅ ଜଳିବାରେ ଅନିୟମିତତା ଦେଖା ଦେଇଛି ।ତାହା ଜାତୀୟ ରାଜପଥ କର୍ତ୍ତୁପକ୍ଷ କିମ୍ବା ସାଉଥକୋ କର୍ତ୍ତୃପକ୍ଷଙ୍କ ଭିତରେ ସମନ୍ୱୟ ରହୁନଥିବା ଯୋଗୁଁ ବିଦ୍ୟୁତ ସରବରାହ ସାଙ୍ଗକୁ ସମ୍ପ୍ରପ୍ରସାରଣରେ ବିଳମ୍ବ ହେଉଥିବା ସାଧରଣରେ ସମାଲୋଚନା ପ୍ରକାଶ ପାଉଛି ।


















