ହିଞ୍ଜିଳିକାଟୁ,୧୩।୩(ଶେଷଦେବ ସାହୁ): ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ସାରା ଭାରତ ବର୍ଷକୁ ସ୍ୱଚ୍ଛ ରଖିବା ସକାଶେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧି ଯୋଜନା ପ୍ରଣୟନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତତ୍କାଳୀନ ଗଂଜାମ ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ତତ୍ୱାବଧାନରେ ସ୍ୱଚ୍ଛ ଗଂଜାମ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଦୀର୍ଘ ଦିନ ଧରି ସ୍ୱଚ୍ଛତାକୁ ଗୁରୁତ୍ୱ ପ୍ରଦାନ କରି ଆସୁଛନ୍ତି । କେତେବେଳେ ସାଇକେଲରେ ତ କେତେବେଳ ବୁଲେଟ ମୋଟର ସାଇକେଲରେ ବିଭିନ୍ନ ସହରାଂଚଳ ପରିଦର୍ଶନ କରି ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ପୂର୍ବେ ରାତି ପ୍ରାୟ ସାଢେ ୧୦ଟାରେ ହିଂଜିଳିକାଟୁ ପୌରାଂଚଳର ବିଭିନ୍ନ ୱାଡର଼୍ ପରିଦର୍ଶନ କରିବା ସହ ଏକ କିରାଣୀ ଦୋକନ ସ୍ୱଚ୍ଛତା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିନଥିବା ଯୋଗୁଁ ୫ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲେ । ଗୁରୁବାର ପୂର୍ବାହ୍ନ ସାଢେ ୧୧ଟାରେ ଗଂଜାମ ଜିଲ୍ଲାପାଳ କୁଲାଙ୍ଗେ ହିଂଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ସଭାକକ୍ଷ ଗୃହରେ ସ୍ୱଚ୍ଛ ସାଥୀ ଓ ସୁପରଭାଇଜରମାନଙ୍କ ସହ ପୌରାଂଚଳର ସ୍ୱଚ୍ଛତା ନେଇ ଆଲୋଚନା କରିଥିଲେ । ପରେ ପୌରାଂଚଳର ୧୯ ନଂ ୱାଡର଼୍ ପରିଦର୍ଶନ କରିଥିଲେ । ସଂପୃକ୍ତ ସାହିରେ ଥିବା ୨ଟି ଦେଶୀ ମଦ ଦୋକାନ ସମ୍ମୁଖରେ ପ୍ଳାଷ୍ଟିକ ଗ୍ଳାସ ଓ ମଦ ପାଉଚ୍ ପଡ଼ିଥିବାର ଦେଖି ତାଗିଦ କରିବା ସହ ଜୋରିମାନା ବାବଦରେ ୧ଲକ୍ଷ ଟଙ୍କା ଆଦାୟ କରିବାକୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ନିର୍ବାହୀ ଅଧିକାରୀ ଡ଼ଃ. ସାହୁଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

















