ସାନଖେମୁଣ୍ଡି୧୨/୩,(ସପନା ଦାଶ)-ସାନଖେମୁଣ୍ଡି ବ୍ଳକ୍ ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମର ସପ୍ତାହବ୍ୟାପୀ ରାଧାକୃଷ୍ଣ ମହାପ୍ରଭୁଙ୍କ ଦୋଳମିଳନ ଯାତ୍ରା ମହୋତ୍ସବ ଆରମ୍ଭ ହୋଇଛି। ବିଶ୍ଵନାଥପୁର,କାଳଷଣ୍ଢପୁର,ଏରେଣ୍ଡ୍ରା ଆଦି ୩ଟି ଗ୍ରାମର ପୂଜିତ ରାଧାକୃଷ୍ଣ ମହାପ୍ରଭୁଙ୍କ ମିଳନସହ ଗ୍ରାମବାସୀଙ୍କ ଦ୍ଵାରା ଆୟୋଜିତ ଯାତ୍ରା ଉତ୍ସବରେ ପାରମ୍ପରିକ ଭାବେ ବାଘନାଚ ଗ୍ରାମ ପରିକ୍ରମା କରିଥିଲା। ତେବେ ଚଳିତ ଯାତ୍ରା ଉତ୍ସବରେ ଗ୍ରାମର ପ୍ରତିଷ୍ଠିତ ୨ ନେତା ବାଘବେଶ ପଡ଼ିଥିବାରୁ ଗାଁ ଚଳଚଞ୍ଚଳ ହୋଇଥିଲା ।

ଗାଁରୁ ପଞ୍ଚାୟତକୁ ପ୍ରତିନିଧିତ୍ଵ କରୁଥିବା ସରପଞ୍ଚ ଓ ସମିତି ସଭ୍ୟ ପଞ୍ଚାୟତ ରାଜନୈତିକ ପୃଷ୍ଠଭୂମିରେ ଦୁଇଭିନ୍ନ ମେରୁ ହୋଇଥିବା ବେଳେ ଗାଁର ପାରମ୍ପରିକ ଯାତ୍ରା ଉତ୍ସବରେ ଏକତ୍ର ବାଘ ବେଶ ପଡ଼ିବାକୁ ଗ୍ରାମବାସୀଙ୍କ ପରାମର୍ଶ ରେ ଏକତ୍ରିତ ହୋଇଥିଲେ। ସରପଂଚଙ୍କ ପ୍ରତିନିଧି ତଥା ପୂର୍ବତନ ବିଧାୟିକା ପ୍ରତିନିଧି ସହଦେବ ପ୍ରଧାନ ଓ ସମିତି ସଭ୍ୟଙ୍କ ପ୍ରତିନିଧି ସଙ୍ଗ୍ରାମ କେଶରୀ ବିଷୋୟୀ ଆଜି ସନ୍ଧ୍ୟାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବାଦ୍ୟର ତାଳେ ତାଳେ ବାଘନୃତ୍ୟ କରି ଗାଁ ପରିକ୍ରମା କରିଥିଲେ। ଗ୍ରାମବାସୀ ବହୁ ସଂଖ୍ୟାରେ ଉତ୍ସାହିତ ହୋଇ ପରିକ୍ରମା କରିଥିଲେ। ଦୁଇ ନେତାଙ୍କ ମିଳିତ ବାଘନାଚ ପରିବେଷଣ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିଲା।

















