ଖଲ୍ଲିକୋଟ,୪/୩(ବ୍ୟୁରୋ): ଗତ ୨୮ ତାରିଖ ଦିନ ଦକ୍ଷିଣାଞ୍ଚଳ ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ମାର୍ଥା ଙ୍କ ତତ୍ତ୍ୱାବଧାନରେ ଗଂଜାମ , ପୁରୁଷୋତମପୁର ବେଗୁନିଆପଡା ଓ ଖଲ୍ଲିକୋଟ ବ୍ଲକ ର ବିଭିର୍ନ ଗ୍ରାମାଞ୍ଚଳ କୁ ଯାଇ ଜଙ୍ଗଲ ବିଭାଗ ର କର୍ମଚାରୀମାନଙ୍କୁ ନେଇ ୨୮ ଗୋଟି ଟିମ ଜରିଆରେ କୃଷ୍ଣସାର ମୃଗ ମାନଙ୍କର ଗଣନା ଆରମ୍ଭ ହୋଇଥିଲା । ୨୮ ଦଳରେ ବିଭକ୍ତ ବନକର୍ମଚାରୀ ମାନେ ବିଭିନ୍ନ କ୍ୟାମେରା ଜରିଆରେ ୨୩୧ ଗୋଟି ପୁରୁଷ କୃଷ୍ଣସାର ମୃଗ ଓ ୧୫୩୨ ଗୋଟି ମହିଳା କୃଷ୍ଣସାର ମୃଗ, ୨୯୯ ଗୋଟି କୃଷ୍ଣସାର ଛୁଆ ଙ୍କ ସମେତ ମୋଟ ୨୦୬୨ କୃଷ୍ଣସାର ମୃଗ ଚିହ୍ନଟ କରିଥିଲେ । କୃଷ୍ଣସାର ମୃଗ ର ବଂଶ ବୃଦ୍ଧିକୁ ଆଖିଆଗରେ ରଖି ଜଙ୍ଗଲ ବିଭାଗ ତରଫ ରୁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡା ଠାରେ ଏକ କୃଷ୍ଣସାର ସୁରକ୍ଷା ପ୍ରକଳ୍ପ ଆରମ୍ଭକରିବା ପାଇଁ ଜଙ୍ଗଲ ବିଭାଗ ତରଫ ରୁ ନିଷ୍ପତି ନିଆଯାଇଥିବା ପ୍ରକାଶ । ଉକ୍ତ ଅଂଚଳ ବାସୀ ଙ୍କ ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ , ସ୍ଵେଚ୍ଛାସେବୀମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ । କୃଷ୍ଣସାର ମୃଗ ମାନଙ୍କ ପାଇଁ ଡାଲି ଜାତୀୟ ଫସଲ, ପିଇବା ପାଣି ଓ ସେମାନଙ୍କ ସୁରକ୍ଷିତ ରହଣି ପାଇଁ କଞ୍ଚା ବାଡ ନିର୍ମାଣ କରିବା ସହ କୃଷ୍ଣସାର ମୃଗ ମାନଙ୍କର ଚାରଣ ଭୂମି ସୃଷ୍ଟି କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହିତ କରାଯିବ ସହ ଜଙ୍ଗଲ ବିଭାଗ ତରଫ ରୁ ସ୍ୱାସ୍ଥ୍ୟ ଶିବିର ଓ ଅନ୍ୟାନ୍ୟ ସାମାଜିକ କାର୍ୟ୍ୟକ୍ରମ ହାତକୁ ନିଆଯିବ ବୋଲି ପ୍ରକାଶ । ତେବେ କୃଷ୍ଣସାର ମୃଗମାନେ ଯେପରି ହିଂସ୍ର ଜନ୍ତୁ ଓ ସଡକ ଦୁର୍ଘଟଣାର ଶିକାର ନ ହେବେ ସେ ନେଇ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି ।

















