ହିଞ୍ଜିଳିକାଟୁ, ୩ା୩ (ଶେଷଦେବ ସାହୁ): ମଙ୍ଗଳବାର ପୂର୍ବାହ୍ନରେ ହିଂଜିଳି ଥାନା ସୋମପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଗ୍ରାମର ୩ ନାବାଳକ ଜିଲେଟିନ୍ ଓ ବ୍ୟାଟେରି ସହାୟତାରେ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ବିସ୍ପୋରଣ ଘଟିବାରୁ ୩ ନାବାଳକ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ଭଗବାନ ଗୌଡ଼ଙ୍କ ପୁଅ ବାଦଲ (୯), ନାରାୟଣ ଗୌଡ଼ଙ୍କ ପୁଅ ଶ୍ରୀଧର (୧୦) ଓ ବୁଲୁ ଗୌଡ଼ଙ୍କ ପୁଅ ନାରାୟଣ (୧୦) । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ଲେଖା ହେବା ସୁଦ୍ଧା ଆହତ ୩ ନାବାଳକ ଛାତ୍ର ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଗ୍ରାମର ୩ ନାବାଳକ ଛାତ୍ର କେଉଁଠାରୁ କିଛି ପରିମାଣରେ ଜିଲେଟିନ୍ ଓ ଏକ ବ୍ୟାଟେରି ସଙ୍ଗରେ ନେଇ ଗାଁ ଦାଣ୍ଡରେ ଖେଳୁଥିଲେ । ଖେଳୁଥିବା ସମୟରେ ଜିଲେଟିନ୍ ସହ ବ୍ୟାଟେରି ସଂଯୋଗ ହୋଇଯିବାରୁ କେହି କିଛି ବୁଝିବା ପୂର୍ବରୁ ବିସ୍ପୋରଣ ଘଟି ପ୍ରଚଣ୍ଡ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଗ୍ରାମବାସୀ ଘଟଣା ସ୍ଥଳକୁ ଦୌଡ଼ିଥିଲେ । ଘଟଣା ସ୍ଥଳରେ ୩ ନାବାଳକ ଛାତ୍ର ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବାର ଦେଖି ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତି କରିଥିଲେ । ଖବର ପାଇ ହିଂଜିଳି ପୋଲିସ ଡ଼ାକ୍ତରଖାନାରେ ପଂହଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ପୋଲିସ ବାହିନୀ ସଂପୃକ୍ତ ଗ୍ରାମରେ ପଂହଚି ବିଭିନ୍ନ ସ୍ଥାନରେ ଯାଂଚ କରିଥିଲେ । ଯାଂଚ ସମୟରେ ଗ୍ରାମର ଏକ ପରିତ୍ୟକ୍ତ କୁଅ ମଧ୍ୟରୁ କିଛି ଅଫୁଟା ଜିଲେଟିନ ମିଳିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘରୁ ମଧ୍ୟରୁ ନାବାଳକ ଜଣକ ଖେଳିବା ଉଦେ୍ଧଶ୍ୟରେ ଜିଲେଟିନ୍ ଓ ବ୍ୟାଟେରି ନେଇ ଆସିଥିବା ଶୁଣିବାକୁ ମିଳିଛି । ତଦନ୍ତରେ ବାଧା ଉପୁଜିବା ଆଶଙ୍କା କରି ପୋଲିସ କୌଣସି ସୂଚନା ପ୍ରଦାନ କରିବାକୁ ମନା କରିଛି । ତେବେ ଘଟଣା ନେଇ ସ୍ଥାନୀୟ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଥାଉକି, ଗତ କିଛି ମାସ ଧରି ଗ୍ରାମ ନିକଟସ୍ଥ ପାହାଡ଼ରେ ଜିଲେଟିନ୍ ସହାୟତାରେ ବିସ୍ପୋରଣ ଘଟାଇ ପଥର ବେଧଡ଼କ ଭାବେ ବାହାର କରାଯାଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ଗ୍ରାମବାସୀ ଘଟଣା ନେଇ ପ୍ରଶାସନକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଜାଣିଶୁଣି ନିରବ ସାଜୁଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଉକ୍ତ ବିସ୍ପୋରଣ ଘଟଣା ପରେ ଗ୍ରାମରେ ଆତଙ୍କ ଖେଳିଯାଇଛି । ଘଟଣା ପରେ ତହସିଲଦାର ଗୋପିନାଥ କୁଅଁର, ପୋଚିଲିମା ପିଇଓ ପୂର୍ଣ୍ଣଚନ୍ଦ୍ର ସାହୁ ଓ ରାଜସ୍ୱ ନିରିକ୍ଷକ ପ୍ରମୁଖ ସଂପୃକ୍ତ ଗ୍ରାମରେ ପଂହଚି ଘଟଣାର ତଦନ୍ତ କରିଛନ୍ତି । ୩ ନାବଳକ ଛାତ୍ରଙ୍କ ମଧ୍ୟରୁ ବାଦଲ ଗୌଡ଼ ପ୍ରଭୁପାଦ ବିଦ୍ୟାମନ୍ଦିରର ୩ୟ ଶ୍ରେଣୀର ଛାତ୍ର, ଶ୍ରୀଧର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୫ମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ନାରାୟଣ ସୋମପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀରେ ପଢୁଛନ୍ତି ।

















