ବ୍ରହ୍ମପୁର,୨୭/୨(ସୁଦାମ ମହାରଣା):ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମରେ ବର୍ତ୍ତମାନ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ଦେଖାଗଲାଣି। ଏଭଳି ସମସ୍ୟାକୁ ନେଇ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ରଣଝାଲି ଗ୍ରାମ ଦୁଇୱାର୍ଡ ଶତାଧିକ ମହିଳା ଓ ପୁରୁଷ ଗାଁରୁ ଏକ ବିରାଟ ରାଲିରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବିଡିଓଙ୍କ ପ୍ରକୋଷ୍ଠ ସାମ୍ନାରେ ପ୍ଲାକାର୍ଡ ଓ ହାଣ୍ଡି ମାଠିଆ ଧରି ଧାରଣାରେ ବସିଥିଲେ । ଫଳରେ ପରିସ୍ଥିତି ଅଣାୟତ ହୋଇଥିଲା। ବିଡିଓ ସିମାଞ୍ଚଳ ମହାନ୍ତି ଓ ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ପାଢୀ ପହଞ୍ଚି ଆନ୍ଦୋଳନକାରିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ୧୦ଦିନ ମଧ୍ୟରେ ଜଳଯୋଗାଣ ସ୍ଵଭାବିକ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ,ରଣଝାଲି ପଞ୍ଚାୟତରେ ବସୁଧା ଯୋଜନାରେ ଏକ ପମ୍ପ ହାଉସ ଓ ଏକଲକ୍ଷ ୬୦ହଜାର ଲିଟର କ୍ଷମତା ବିଶିଷ୍ଟ ଓଭରହେଡ ଟାଙ୍କି ମଧ୍ୟ ନିର୍ମାଣ ହୋଇଛି। ୪ ଓ ୫ ନମ୍ବର ୱାର୍ଡ ବାସିନ୍ଦା ପିଇବା ପାଣି ପାଇପାରୁନାହାନ୍ତି ,ଏହା ନେଇ ବିଭାଗୀୟ ଅଧିକାରୀଙ୍କୁ ବହୁବାର ମୌଖିକ ଓ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ପୂର୍ବରୁ ଉଭୟ ୱାର୍ଡକୁ ପାନୀୟ ଜଳଯୋଗାଣ ପାଇଁ ହାଇସ୍କୁଲ ନିକଟରେ ଏକ ବୋର୍ ୱେଲ ଖୋଳାଯାଇଥିଲେ ବର୍ତ୍ତମାନ ତାହା କାର୍ଯ୍ୟକ୍ଷମ କରାଗଲା ନାହିଁ । ଗତ ମଙ୍ଗଳବାର ଦିନ୧୦ଘଣ୍ଟ ସମୟରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହାତରେ ହାଣ୍ଡି ମାଠିଆ ଓ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ୪କିମି ଚାଲିଚାଲି ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ଆମକୁ ପାଣି ଦିଅ ନଚେତ ଏଠାରୁ ହଟିବି ନାହିଁ ବୋଲି ନାରାଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ବିଡିଓ ଓ କନିଷ୍ଠ ଯନ୍ତ୍ରୀ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଜଳଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପୂରଣ ନହେଲେ ଆଗକୁ ଆନ୍ଦୋଳନ ଯୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି।

















