ସାନଖେମୁଣ୍ଡି,୧୬/୨(ସପନ ଦାସ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଵିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସହିତ ପାଠଚକ୍ର ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଡ.ହରେକୃଷ୍ଣ ନାୟକ,ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵ ବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ ଓ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରାଉତ ଆଦି ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଶ୍ରୀ ନାୟକ ସାମାଜିକ ଜୀବନ ହେଉ ଅବା ଶିକ୍ଷା ସମୟରେ ବିଦ୍ୟାର୍ଥୀ ମାନଙ୍କ ଉତ୍ତରଦାୟିତ୍ଵକୁ ବଜାୟ ରଖି ନିଜର ମଧୁର ମାତୃ ଭୂମିର ପ୍ରଚାରପ୍ରସାର ଦିଗରେ ବଳିଷ୍ଠ ଭୂମିକା ନିର୍ବାହ କରିବା ପାଇଁ ଆହ୍ବାନ ଦେଇଥିଲେ। ନିଜର ଆବଶ୍ୟକତା ଅନୁସାରେ ମାଉସୀକୁ ସମ୍ମାନ ଦେବାକୁ ଯାଇ ମାଆକୁ ଭୁଲିଯିବା ନିର୍ବୋଧର ପରିଚାୟକ ବୋଲି ସମ୍ମାନିତ ଅତିଥି ଉପଦେଶ ଦେଇଥିଲେ। ବିଭାଗର ଶେଷବର୍ଷର ବିଦ୍ୟାର୍ଥୀ ଶିକ୍ଷା ସମୟରେ ଗଢିଉଠିଥିବା ଭାବ ଓ ଅମୂଲ୍ୟ ଜ୍ଞାନ ଆହରଣ କରିବାର ସୁନ୍ଦର ଅନୁଭୂତି ପ୍ରକାଶ କରିବା ପରେ ସେମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ସିମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବହୁ ଅଧ୍ୟାପକ,ଛାତ୍ରଛାତ୍ରୀ ସହଯୋଗ କରି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

















