ରମ୍ଭା କ‌ଲେଜ ଡେମନଷ୍ଟ୍ରେଟରଙ୍କୁ ହତ୍ୟା

279
ADVERTISEMENT



ଗଞ୍ଜାମ/ରମ୍ଭା ୧/୭ (ଡ଼ିଏଚବି): ଗଞ୍ଜାମ ଜିଲ୍ଲା ରମ୍ଭା ଜଗନ୍ନାଥ ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ପ୍ରୟୋଗଶାଳା ସହାୟକ (ଡେମନଷ୍ଟ୍ରେଟର) ଅଶ୍ବିନୀ ମିଶ୍ରଙ୍କୁ(୫୧) ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ସକାଳେ ତାଙ୍କର କ୍ଷତାକ୍ତ ଶବକୁ ରମ୍ଭା ପୁଲିସ ୧୬ ନମ୍ବର ଜାତୀୟ ରାଜପଥ ୩ଶହ ମିଟର ଦୂର ବିରୁଳିଗଡ ରାସ୍ତା ପାର୍ଶ୍ବ ପଣସ ଗଛମୂଳରୁ ଜବତ କରିଛି। ଆଖି ଏବଂ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଥିବା ବେଳେ ଘଟଣାସ୍ଥଳରୁ ତାଙ୍କ ବୁଲେଟ୍ ମୋଟରସାଇକେଲ୍ ବି ମିଳିଛି। ପାରିପାର୍ଶ୍ବିକ ସ୍ଥିତିରୁ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକଣ୍ଡ ଘଟିଥିବା ମଧ୍ୟ ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇ ଖୋଳତାଡ଼ ଆରମ୍ଭ କରଛି। ଏହି ଘଟଣାରେ ମଧୁରଚୁଆ ଗ୍ରାମର ଦନାର୍ଦ୍ଦନ ନାୟକ ଓରଫ ଦନା (୩୫)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅଶ୍ବିନୀଙ୍କ ନିଜ ଘର ଖଲ୍ଲିକୋଟ ଥାନା ଅର୍ନ୍ତଗତ କୁଶଢିପା ଗ୍ରାମରେ। ଗତ ୧୦ ବର୍ଷ ହେଲା ଅଶ୍ବିନୀ ତାଙ୍କ ପରିବାରଠାରୁ ଅଲଗା ହୋଇ ରମ୍ଭାର ପାନ୍ଥ ନିବାସ ରୋଡ୍‌ରେ ଏକୁଟିଆ ରହୁଥିଲେ। ଗତକାଲି ସେ ନିଜ ଗ୍ରାମ କୁଶଢିପା ଯାଇ ରାତିରେ ଫେରିଥିଲେ। ରମ୍ଭା ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଗ୍ରିନ ଢାବାରେ ରାତି ପ୍ରାୟ ୧୧ଟାରେ ଅଶ୍ବିନୀ ଖାଉଥିବା ବେଳେ ତାଙ୍କ ଘର ନିକଟରେ ଭଡ଼ା ନେଇ ରହୁଥିବା ଜଣେ ଯୁବକ ସହ ଅନ୍ୟ ଦୁଇଜଣ ଯୁବକଙ୍କ ସେଠାରେ ପହଞ୍ଚିଥିଲେ। ଅଶ୍ବିନୀଙ୍କ ସହ କଥା ହୋଇ ସମସ୍ତେ ରମ୍ଭା ଅଭିମୁଖେ ବାହାରିଥିଲେ। ଅଶ୍ବିନୀ ମଧ୍ୟ ତାଙ୍କ ବୁଲେଟ୍‌ରେ ଯାଇଥିଲେ। କିନ୍ତୁ ଆଜି ଭୋର୍ ୫ଟାରେ ଅଶ୍ବିନୀଙ୍କ ଶବ ବିରୁଳିଗଡ ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ‌ଲୋକେ ଦେଖିଥିଲେ।

ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଛତ୍ରପୁର ଏସ୍‌ଡିପିଓ ଉତ୍କଳକେଶରୀ ଦାସ ସୂଚନା ଦେଇଛନ୍ତି। ମୃତ ଅଶ୍ବିନୀଙ୍କ ସାନଭାଇ ରେବନ୍ତ ମିଶ୍ରଙ୍କ ଏତଲା କ୍ରମେ ରମ୍ଭା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ, ମଧୁରଚୁ୍ଆ ଗ୍ରାମର ଜଣେ ବିବାହିତ ଯୁବକ ତାଙ୍କ ଦ୍ବିତୀୟ ପତ୍ନୀଙ୍କ ସହ ରମ୍ଭା ପାନ୍ଥ ନିବାସ ରୋଡରେ ଅଶ୍ବିନୀ ରହୁଥିବା ଘର ନିକଟରେ ଭଡାସୂତ୍ର‌ରେ ଗତ ୭ମାସ ହେଲା ରହୁଥିଲେ। କୌଣସି କାରଣକୁ ନେଇ ଅଶ୍ବିନୀ ଏବଂ ଉକ୍ତ ବିବାହିତ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏ ନେଇ ଗତ ମେ’ ୯ ତାରିଖରେ ଅଶ୍ବିନୀ ୩ଜଣଙ୍କ ନାମରେ ରମ୍ଭା ଥାନାରେ ଏତଲା ଦେଇଥିଲେ। ପୁଲିସ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ଫଳରେ ପ୍ରତିଶୋଧ ପରାୟଣ ହୋଇ ଅଶ୍ବିନୀଙ୍କୁ ହତ୍ୟା କରିବାକୁ ଯୋଜନା ହୋଇଥାଇପାରେ ବୋଲି କୁହାଯାଉଛି।



Advertisement