ଭୁବନେଶ୍ୱର, ୩୦/୬(ନରେନ୍ଦ୍ର ଜେନା): ଏଣିକି କଲେଜ ଛାତ୍ରଛାତ୍ରୀମାନଙ୍କ ପାଇଁ ଶ୍ରେଣୀରେ ୭୫%ଉପସ୍ଥାନ ବାଧ୍ୟତାମୂଳକ। ନଚେତ୍ ପରୀକ୍ଷା ଦେବାରୁ ସେମାନେ ବଞ୍ଚିତ ହେବେ। ସେହିପରି ଅଧ୍ୟାପକଙ୍କର ଓ୍ବାର୍କିଂ ଆଓ୍ବାର ବଦଳିବ। ଅଧ୍ୟାପକମାନେ କଲେଜରେ ୫ଘଣ୍ଟା ପରିବର୍ତ୍ତେ ଏଣିକି ୭ଘଣ୍ଟା ରହିବେ। ଅଧ୍ୟାପକଙ୍କ ଉପସ୍ଥାନ ମଧ୍ୟ ବାୟୋମେଟ୍ରିକ୍ ବ୍ୟବସ୍ଥା ମାଧ୍ୟମରେ ରେକର୍ଡ ହେବ। ଖୁବ୍ଶୀଘ୍ର ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଗତକାଲି କହିଛନ୍ତି।
ୟୁଜିସି ନିୟମ ଅନୁଯାୟୀ ଅଧ୍ୟାପକମାନେ ସପ୍ତାହକୁ ୨୫ଟି କ୍ଲାସ୍ ଓ ୫ଘଣ୍ଟା ପାଠ ପଢ଼ାଇବା ପରେ ଯିବା ଉଚିତ। କିନ୍ତୁ ଅଧିକାଂଶ ସମୟରେ ୫ଘଣ୍ଟା ପୂର୍ବରୁ ଅଧ୍ୟାପକମାନେ କଲେଜ ଛାଡି ପଳାଇଯାଉଛନ୍ତି। ତେଣୁ କଲେଜ ଗୁଡ଼ିକରେ ବାୟୋମେଟ୍ରିକ ଉପସ୍ଥାନ ବ୍ୟବସ୍ଥା ଲାଗୁ କରାଯାଉଛି। ସବୁ ଡିଗ୍ରୀ କଲେଜରେ ବିଶ୍ୱବ୍ୟାଙ୍କ ଫଣ୍ଡରୁ ବାୟୋମେଟ୍ରିକ୍ ମେଶିନ୍ ଲଗାଯିବ। ରାଜ୍ୟର ୫୨ଟି ସରକାରୀ କଲେଜରୁ ୧୬ଟିରେ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରାଯାଇଛି। ଏହା ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ସହାୟକ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।
ଅଧ୍ୟାପକମାନେ କଲେଜରେ ୭ଘଣ୍ଟା ରହୁଛନ୍ତି ନା ନାହିଁ ତାହା କଲେଜ ଅଧ୍ୟକ୍ଷ ତଦାରଖ କରିବେ। ଅଧ୍ୟାପନା ବାଦ୍ ଗବେଷଣା ଓ ବିଭିନ୍ନ ସରକାରୀ ଯୋଜନାର ସୁଫଳ କିପରି ଛାତ୍ରଛାତ୍ରୀମାନେ ପାଇପାରିବେ ସେ ନେଇ ଅଧ୍ୟାପକମାନେ ୫ଘଣ୍ଟା ପାଠ ପଢ଼ାଇ ସାରିବା ପରେ ଗବେଷଣା ଓ ଏକାଡେମିକ୍ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରିବେ। ଅଧ୍ୟାପକମାନେ ୫ଘଣ୍ଟା ପାଠ ପଢ଼ାଇବା ପରେ ଗବେଷଣା ଓ ଏକାଡେମିକ୍ ଡେଭଲପମେଣ୍ଟ କ୍ଷେତ୍ରରେ କାମ କରିବେ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ, ଆସନ୍ତା ଦୁଇରୁ ତିନିମାସ ମଧ୍ୟରେ ସମସ୍ତ ସରକାରୀ କଲେଜରେ ସ୍ଥାୟୀ ପ୍ରିନ୍ସିପାଲ ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ ମହୋଦୟ କହିଛନ୍ତି।