ବ୍ରହ୍ମପୁର ,୧୩/୨(ହିମାଂଶୁ ପାଢୀ) : ଗୋପାଳପୁର-ବେଳାଭୂମି ଠାରେ ପ୍ରତିଷ୍ଠିତ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ ପରିଚାଳନା ପ୍ରତିଷ୍ଠାନର ନୂତନ ଛାତ୍ରବାସ ଓ ଅତିଥି ନିବାସରେ ସମବାୟ ମନ୍ତ୍ରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ୍ ର ସଭାପତି ହେମନ୍ତ ନାୟକ, ସମବାୟ ନିବନ୍ଧକ ବିଭୂତି ଭୂଷଣ ପଟ୍ଟନାୟକ, ସଦସ୍ୟ ସର୍ବଭାରତୀୟ ଶିକ୍ଷା କମିଟି, ଜାତୀୟ ସମବାୟ ୟୁନିଅନ୍ ନୂଆଦିଲ୍ଲୀ ତଥା ଅଧ୍ୟକ୍ଷ, ଉନ୍ନୟନ କମିଟି, ସମବାୟ ପରିଚାଳନା ପ୍ରତିଷ୍ଠାନ ସନାତନ ସଂଗ୍ରାମ ସିଂ, ଓଡ଼ିଶା ରାଜ୍ୟ ସମବାୟ ୟୁନିଅନରେ ନିର୍ଦ୍ଦେଶକ କାର୍ତିକେଶ୍ୱର ପରିଡ଼ା, ଓଡ଼ିଶା ରାଜ୍ୟ ୟୁନିଅନରେ ସଂପାଦକ ମନୋରଞ୍ଜନ ନାୟକ, ଉପନିବନ୍ଧକ ସମବାୟ ସମିତି ସମୂହ ବ୍ରହ୍ମପୁର ରଞ୍ଜନ ଦାସ, ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ବ୍ରହ୍ମପୁର ତଥା ଅଧ୍ୟକ୍ଷ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇଥିଲେ । ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ସମବାୟ ବିକାଶ ପାଇଁ ବିଗତ ୨୦୧୩ରେ ନୂତନ ଛାତ୍ରାବାସ ଓ ଅତିଥି ନିବାସ ପାଇଁ ୨ କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମାଣ ପାଇଁ ଅନୁଦାନ ଦେଇଥିଲେ । ଉକ୍ତ ଉତ୍ସବରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ଅଲେଖ ଚୌଧୁରୀ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ସଭାପତି ବିରେନ୍ଦ୍ର କେଶରୀ ଆରୁଖ, ରାଜ୍ୟ ସମବାୟ ୟୁନିଅନର ଉପସଭାପତି ସନ୍ଧ୍ୟାରାଣୀ ଲାକ୍ରା, ନିର୍ଦ୍ଦେଶକ ଚିତ୍ରସେନ ନିଶାଙ୍କ ଯୋଗ ଦେଇଥିଲେ । କେନ୍ଦ୍ରରେ “ନୂତନ ଓଡ଼ିଶା ଗଠନରେ ସମବାୟର ଭୂମିକା’ ଶୀର୍ଷକ ଆଲୋଚନା ଚକ୍ର ହୋଇଥିଲା । ଉକ୍ତ ଆଲୋଚନାଚକ୍ରରେ ମନ୍ତ୍ରୀ ରାଜ୍ୟ ସରକାରଙ୍କ “୫-ଟି” ଓ “ମୋ ସରକାର” ଯୋଜନା କିଭଳି ଓଡ଼ିଶା ସମବାୟକୁ ଏକ ନୂତନ ଦିଗଦର୍ଶନ କରିବ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତ ସମବାୟ କର୍ମକର୍ତା ଓ ସମିତିର ନିର୍ଦ୍ଦେଶକ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିଚାଳନା କେନ୍ଦ୍ରର ଅଧ୍ୟାପିକା ମମତା ସାହୁ ପରିଚାଳନା କରିଥିଲେ । ଶେଷରେ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପକ ଡି. କ୍ରିଷ୍ଣାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।


















