ପୁରୁରୁଷୋତ୍ତମପୁର/ ତାରାତାରିଣୀ,୧୩/୨(ଡି.ଏଚ୍): ମା’ ତାରାତାରିଣୀ ପୀଠରେ ତିନି ସେବାୟତ ଅଧିକ ଦକ୍ଷିଣା ନଦେବାରୁ ସେମାନେ ଜଣେ ଶ୍ରଦ୍ଧାଳୁଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କରିବା ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆହତ ଜଣକ ହେଉଛନ୍ତି, କୋଦଳା ଥାନା ଅନ୍ତର୍ଗତ ରାମପଲ୍ଲି ଗ୍ରାମର ରାହୁଲ ପ୍ରଧାନ(ଅକ୍ଷୟ)। ଏହାକୁ ପ୍ରତିବାଦ କରିବାରୁ ପୁରୁଷୋତ୍ତମପୁର ନାରାୟଣ ବିହାରର ସୁଦାମ ମହାରଣା ଖଣ୍ଡା ଆକ୍ରମଣ ଆହାତ ହୋଇଛନ୍ତି । ଉଭୟଙ୍କୁ ପ୍ରଥମେ ପୁରୁଷୋତ୍ତମପୁର ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ପଠାଯାଇଛି । ଏହା ନେଇ ପୁରୁଷୋତ୍ତମପୁର ଥାନା କେଶ ନମ୍ବର ୩୩/୨୦ମାମଲା ରୁଜ୍ଜୁ ସହତିନି ସେବାୟତ ଋଷି ରଣା, ରାଜେନ୍ଦ୍ର ରଣା, ଅନୁପ ରଣାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି । ପୂଜା ପରେ ସେବାୟତ ଋଷି ଓ ରାଜେନ୍ଦ୍ର ଅଧିକ ଦକ୍ଷିଣା ଦେବାକୁ ଦାବି କରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଧିକ ଦକ୍ଷିଣା ଦେବାକୁ ରାହୁଲ ମନାକରିବାରୁ ସେମାନେ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ । ସୁଦାମ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲେ । ଉକ୍ତ ସେବାୟତମାନେ ଶ୍ରଦ୍ଧାଳୁଙ୍କୁ ଅଧିକ ଦକ୍ଷିଣା ଦାବି କରିବା ସହ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ତାରାତାରିଣୀ ପୀଠର ବିକାଶ ପାଇଁ ରାଜ୍ୟ ସରକାର ରୂପରେଖ ପ୍ରସ୍ତୁତ କରୁଥିବା ବେଳେ ଏଭଳି ବିଶୃଙ୍ଖଳାକୁ ବିଭିନ୍ନମହଲରେ ନା ପସନ୍ଦ କରୁଛନ୍ତି ।

















