Wednesday, August 19, 2026
ADVERTISEMENT
Home ଆଞ୍ଚଳିକ ହୃତ୍‌ପିଣ୍ଡରେ ଛିଦ୍ର, ୬ ବର୍ଷ ହେଲା କାନ୍ଦୁଛି ରଚିତା

ହୃତ୍‌ପିଣ୍ଡରେ ଛିଦ୍ର, ୬ ବର୍ଷ ହେଲା କାନ୍ଦୁଛି ରଚିତା

386
ADVERTISEMENT


ପ୍ରତାପୁର ୩୦/୬(ଡ଼ିଏଚବି) : ବର୍ଷେ କି ଦୁଇ ବର୍ଷ ନୁହଁ ଦୀର୍ଘ ୬ ବର୍ଷ ହେଲା କାନ୍ଦୁଛି ରଚିତା। ରାତିରେ ଶୋଇବା ସମୟକୁ ଛାଡ଼ିଦେଲେ ସାରା ଦିନ ରଚିତାର କାନ୍ଦ ବନ୍ଦ ହେଉନି। କେହି ଜଣେ କାନ୍ଧରେ ପକାଇ ଦେଲେ କିଛି ସମୟ ପାଇଁ ଚୁପ୍ ରହି ପୁଣି ବିକଳ ହୋଇ କାନ୍ଦୁଛି। ଏଭଳି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥପ୍ରସାଦ ବ୍ଲକ ଅଢେଇ ଗାଁ ପଂଚାୟତ ରାଜନପଲ୍ଲୀ ଗ୍ରାମରେ।

ଏହି ଗ୍ରାମର ବସନ୍ତ ଗୌଡ଼ଙ୍କ ବଡ଼ ଝିଅ ରଚିତା। ଜନ୍ମର ଏକ ମାସ ପର୍ଯ୍ୟନ୍ତ ଠିକ୍ ଥିଲା। କିନ୍ତୁ ଏହା ପରେ ହଠାତ୍ ତା’ର କାନ୍ଦିବା ଆରମ୍ଭ କରିଥିଲା। ଅବିରତ କାନ୍ଦର କାରଣ ଜାଣିବାକୁ ବାପା ମା’ ତାକୁ ବିଭିନ୍ନ ଡାକ୍ତରଖାନାକୁ ନେଇ ଦେଖାଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନଥିଲା। ଶେଷରେ ପରୀକ୍ଷାରୁ ଜଣାପଡ଼ିଲା, ରଚିତାର ହୃତ୍‌ପିଣ୍ଡରେ ଏକ ଛିଦ୍ର ଥିବାରୁ ଅସହ୍ୟ ଯନ୍ତ୍ରଣାରେ ସେ ଛଟପଟ ହୋଇ କାନ୍ଦୁଛି। ପରେ ତା’କୁ ଆନ୍ଧପ୍ରଦେଶର ପୁଟପର୍ତ୍ତି ଡାକ୍ତରଖାନାକୁ ନିଆ ଯାଇଥିଲେ ବି କୌଣସି ସୁଫଳ ମିଳିଲାନି। ଏହା ମଧ୍ୟରେ ରଚିତାର ଚିକିତ୍ସାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି ଗରିବ ପରିବାର। ରଚିତାକୁ ଉଚ୍ଚ ଓ ଉନ୍ନତ ମାନର ଚିକିତ୍ସା ଯୋଗାଇବାକୁ ଆଉ ସାମର୍ଥ୍ୟ ନଥିବାରୁ ଭାଗ୍ୟକୁ ଆଦରି ସେମିତି ପଡ଼ି ରହିଛୁ ବୋଲି ବାପା ବସନ୍ତ କୋହଭରା କଣ୍ଠରେ କହିଛନ୍ତି। ପାଖରେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ଼ ଥିଲେ ବି କୌଣସି ସ୍ଥାନରେ ସେ ଏଥିରୁ ଲାଭ ପାଇପାରୁ ନାହାନ୍ତି। ରଚିତା ଏଭଳି ଅନବରତ କାନ୍ଦୁଥିବା ସହ କ୍ଷୀର ଓ ଦୋଭଜା ଗୁଣ୍ଡ ଖାଇ ବଞ୍ଚିଛି। ତା’ର ଓଜନ ବି ବଢିପାରୁନି। ଝିଅର ଚିକିତ୍ସା ଦିଗରେ ପ୍ରଶାସନ ଓ ସରକାର ସହାୟତା ପାଇଁ ପଦକ୍ଷେପ ନେବାକୁ ବସନ୍ତ ନିବେଦନ କରିଛନ୍ତି। ସେପଟେ ପିଲାର ଏଭଳି ଅବସ୍ଥା ଯୋଗୁଁ ବସନ୍ତ ଆଉ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ବି ଯାଇପାରୁ ନାହାନ୍ତି। ରଚିତା ପାଇଁ କେବଳ ଭିନ୍ନକ୍ଷମ ଭତ୍ତା ବ୍ୟବସ୍ଥା ପାଇଁ ବିଡିଓ ପ୍ରତିଶୃତି ଦେଇଛନ୍ତି। ଆଉ ସରକାରୀ ସହାୟତାକୁ ରଚିତାଙ୍କ ବାପା ମା’ ଅନାଇ ବସିଛନ୍ତି।

Advertisement